ଭଦ୍ରକ ୨୫।୦୨: ପୁନର୍ଗଠିତ ହେଲା ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନ । ୧୫ ସଦସ୍ୟ ବିଶିଷ୍ଟ ଏହି କାର୍ଯ୍ୟକାରିଣୀ ପୁନର୍ଗଠିତ ହୋଇଯାଇଛି । ଏଥିରେ ଉପେନ୍ଦ୍ର କୁମାର ବାରିକ ସଭାପତି ରୂପେ ନିର୍ବାଚିତ ହୋଇଥିବା ବେଳେ ଧିରେନ ପଲାଇ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।
ସେହିପରି ଉପ- ସଭାପତି ଭାବେ ଭବତୋଷ ଦାସ ଓ ନୀଳଶୈଳ ନାୟକ, ଯୁଗ୍ମ ସମ୍ପାଦକ ଭାବେ ଦିଲ୍ଲିପ କୁମାର ନାୟକ ଓ ନୀଳମାଧବ ଦାସ ଓ କୋଷାଧ୍ୟକ୍ଷ ଭାବେ ବ୍ୟୋମକେଶ ସେନାପତି ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରିଣୀ ପୁନର୍ଗଠନ ପ୍ରକ୍ରିୟା ୧୮ ତାରିଖ ଠାରୁ ଆରମ୍ଭ ହୋଇଥିଲା ।
ନିର୍ବାଚନ ଓ କାର୍ଯ୍ୟକାରିଣୀ ପୁନର୍ଗଠନ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏସନର ନିର୍ଦ୍ଦେଶ କ୍ରମେ ସି.ଇ.ଓ. ସୁବ୍ରତ କୁମାର ବେହେରା ଓ ଓଡ଼ିଶା ଅଲିମ୍ପିକ ଆସୋସିଏସନର ସାଧାରଣ ସମ୍ପାଦକ ତଥା କ୍ରିକେଟ ଆସୋସିଏସନର କାଉନସିଲ ସଦସ୍ୟ ପର୍ଯ୍ୟବେକ୍ଷକ ରୂପେ ଅଭିଜିତ ପାଲ ଯୋଗଦେଇଥିଲେ ।
ନିର୍ବାଚନ ପରେ ଅନୁଷ୍ଠିତ ସାଧାରଣ ସଭାରେ ନିର୍ବାଚନ ଅଧିକାରୀ ନିର୍ବାଚନା ପରିଚାଳନା ସର୍ମ୍ପକୀୟ ବିବରଣୀ ପ୍ରଦାନ କରଯାଇଥିଲା । ନବନିଯୁକ୍ତ ସାଧାରଣ ସମ୍ପାଦକ ଧିରେନ ପଲାଇ ତୃଣମୂଳ ସ୍ତରରୁ କ୍ରିକେଟ ପ୍ରତିଭା ମାନଙ୍କୁ ଆବିଷ୍କାର କରି ସେମାନଙ୍କୁ ଉପଯୁକ୍ତ ତାଲିମ ଦେବା ଏବଂ ଭଦ୍ରକ ଜିଲ୍ଲାରେ କ୍ରିକେଟର ଭିତ୍ତିଭୁମି ଉନ୍ନତ କରିବାକୁ ନୁତନ କାର୍ଯ୍ୟକାରିଣୀ ଉଦ୍ୟମ କରିବ ବୋଲି ପ୍ରତିଶୃତି ଦେବା ସହ ଭଦ୍ରକ କୋଣ ଅନୁକୋଣରୁ ସହଯୋଗ କାମନା କରିଥିଲେ ।