ଟଳିଲା MCD ମେୟର ଓ ଡେପୁଟି ମେୟର ନିର୍ବାଚନ, ପରବର୍ତ୍ତି ତାରିଖ ଧାର୍ଯ୍ୟ କରିବେ ଏଲଜି

Published By : Prameya-News7 Bureau | January 06, 2023 IST

ନୂଆଦିଲ୍ଲୀ ୬।୧: ଦିଲ୍ଲୀ ମହାନଗର ନିଗମ (ଏମସିଡି) ମେୟର ଓ ଡେପୁଟି ମେୟର ନିର୍ବାଚନ ଶୁକ୍ରବାର ଟଳିଛି। ନିର୍ବାଚନ ଲାଗି ପୂର୍ବାହ୍ନରେ ସିଭିକ ସେଣ୍ଟରରେ ବୈଠକ ଆରମ୍ଭ ହୋଇଥିଲା। ତେବେ ମନୋନୀତ କାଉନସିଲରଙ୍କ ଶପଥଗ୍ରହଣକୁ ଆପ କାଉନସିଲରମାନେ ବିରୋଧ କରିବାରୁ ହଟ୍ଟଗୋଳ ହୋଇଥିଲା। ଯାହାକ୍ରମେ ଧସ୍ତାଧସ୍ତି ଓ ପରେ ମାରପିଟରେ ପରିବର୍ତ୍ତିତ ହେବାରୁ ନିର୍ବାଚନ ଲାଗି ନିଯୁକ୍ତ ପୀଠାସୀନ ଅଧିକାରୀ ତଥା ବିଜେପି କାଉନସିଲର ସତ୍ୟା ଶର୍ମା ଏମସିଡି ସଦନ ବୈଠକକୁ ସ୍ଥଗିତ କରିଦେଇଛନ୍ତି।

ପୀଠାସୀନ ଅଧିକାରୀ କହିଛନ୍ତି ଯେ ସଦନରେ ଉପୁଜିଥିବା ପରିସ୍ଥିତି ଲେଫ୍ଟନାଣ୍ଟ ଗଭର୍ଣ୍ଣର(ଏଲଜି)ଙ୍କ ସଂଜ୍ଞାନକୁ ଅଣାଯାଇଛି। ଏବେ ନିର୍ବାଚନର ଆଗାମୀ ତାରିଖ ଏଲଜି ହାଉସ୍ ସ୍ଥିର କରିବେ। ପୀଠାସୀନ ଅଧିକାରୀ ଓ ବିଜେପି କାଉନସିଲର ଶର୍ମା କହିଛନ୍ତି ଯେ ସାମ୍ବିଧାନିକ ଆଧାରରେ ନିର୍ବାଚନ କରାଯାଉଥିଲା। ତେବେ ମୋନୋନୀତ କାଉନସିଲରଙ୍କ ପ୍ରଥମ ଶପଥଗ୍ରହଣକୁ ନେଇ ଝଗଡା ଆରମ୍ଭ ହୋଇଥିଲା। ଏଥିରେ ହଟ୍ଟଗୋଳ କରୁଥିବା କାଉନସିଲରଙ୍କୁ ମନୋନୀତ କାଉନସିଲରମାନେ ପ୍ରଥମେ ଶପଥ ଗ୍ରହଣ କରିପାରିବେ ଓ ଏ ବାବଦେ କୌଣସି ପୃଥକ ଗାଇଡଲାଇନ ନାହିଁ ବୋଲି ବୁଝାଇବାକୁ ଉଦ୍ୟମ କରାଯାଇଥିଲା। ତେବେ ସାରା ମାମଲା ଏବେ ଏଲଜିଙ୍କ ସଂଜ୍ଞାନକୁ ପଠାଇ ଦିଆଯାଇଥିବା ସେ କହିଛନ୍ତି।

ମନୋନୀତ କାଉନସିଲରଙ୍କ ଶପଥପାଠ ଆରମ୍ଭ ସହ ଆପ କାଉନସିଲରମାନେ ପୀଠାସୀନ ଅଧିକାରୀଙ୍କ ଟେବୁଲ ପାଖକୁ ଯାଇ ହଟ୍ଟୋଗୋଳ କରିଥିଲେ। ଏଥିରେ ବିଜେପି କାଉନସିଲରମାନେ ମଧ୍ୟ ପହଞ୍ଚିବାରେ ଲାଗିବା ସହ ହଟ୍ଟଗୋଳ ବଢିବାରେ ଲାଗିଥିଲା। ହଟ୍ଟଗୋଳ ମଧ୍ୟରେ ୪ ଜଣ ଏଲ୍ଡରମ୍ୟାନଙ୍କ ଶପଥ ପାଠ କରାଯିବା ପରେ ବାକି ମନୋନୀତ କାଉନସିଲରଙ୍କ ଶପଥପାଠ ରୋକି ଦିଆଯାଇଥିଲା। ହୋ ହଲ୍ଲା ଓ ହଟ୍ଟଗୋଳକୁ ଦେଖି ପ୍ରଥମେ ଘଣ୍ଟାକ ଲାଗି ସଦନର କାର୍ଯ୍ୟକ୍ରମକୁ ମୁଲତବୀ ରଖାଯାଇଥିଲା। ତେବେ ପରିସ୍ଥିତିରେ ନ ସୁଧୁରିବାରୁ ବୈଠକ  ସ୍ଥଗିତ କରି ଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.