ଗୁଜୁରାଟ ନିର୍ବାଚନ ତାରିଖ କାହିଁକି ଘୋଷଣା ହେଲାନି, ଭାଙ୍ଗିଲା କି ପରମ୍ପରା; ନା' କହି ନିର୍ବାଚନ କମିଶନ ରଖିଲେ ଯୁକ୍ତି

Published By : Prameya-News7 Bureau | October 14, 2022 IST

ନୂଆଦିଲ୍ଲୀ: ଆଜି ଗୁଜୁରାଟ ଓ ହିମାଚଳ ପ୍ରଦେଶ, ଏହି ଦୁଇ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବାର ଥିଲା। କିନ୍ତୁ ନିର୍ବାଚନ କମିଶନ କେବଳ ହିମାଚଳ ପ୍ରଦେଶର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ହେଲେ ଗୁଜୁରାଟ ନିର୍ବାଚନ ତାରିଖ ବିଷୟରେ କୌଣସି ସୂଚନା ଦେଇ ନାହାନ୍ତି। ଏହାପରେ ନିର୍ବାଚନ କମିଶନଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି।

କାରଣ ଏହି ଦୁଇଟି ରାଜ୍ୟର ବିଧାସନଭା କାର୍ଯ୍ୟକାଳ ୬ ମାସ ଭିତରେ ସରିବାକୁ ଯାଉଛି। ଏଭଳି କ୍ଷେତ୍ରରେ ଦୁଇଟି ରାଜ୍ୟର ନିର୍ବାଚନ ଓ ଭୋଟ ଗଣତି ସମାନ ତାରିଖରେ ଘୋଷଣା ହେବା କଥା। ହେଲେ ଆଜି ଏହାର ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ଗୁଜୁରାଟ ନିର୍ବାଚନ ଘୋଷଣା ନ ହୋଇ କୌଣସି ନିୟମ ଭଙ୍ଗ ହୋଇ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ସୂଚନା ଦେଇଛନ୍ତି।

ଏନେଇ ଗଣମାଧ୍ୟମକୁ  ସୂଚନା ଦେଇ ଶ୍ରୀ କୁମାର କହିଛନ୍ତି  “ ଦୁଇଟି ରାଜ୍ୟର ବିଧାନସଭା କାର୍ଯ୍ୟକାଳ ଶେଷ ହେବାର ୪୦ ଦିନର ବ୍ୟବଧାନ ରହିଛି। ନିୟମ ଅନୁସାରେ, ୩୦ ଦିନ ବ୍ୟବଧାନ ରହିବା ଦରକାର। ଯାହା ଫଳରେ ଗୋଟିଏ ରାଜ୍ୟର ନିର୍ବାଚନ ଅନ୍ୟ ରାଜ୍ୟ ଉପରେ ପ୍ରଭାବ ପକାଇବା ନାହିଁ।”

ସୂଚନା ଥାଉକି, ଗୁଜୁରାଟ ବିଧାନସଭାର କାର୍ଯ୍ୟକାଳ ୨୦୨୩ ଫେବ୍ରୁଆରୀ ୧୮ରେ ସରୁଛି। ଏବଂ ହିମାଚଳ ପ୍ରଦେଶ ବିଧାନସଭା କାର୍ଯ୍ୟକାଳ ଜାନୁଆରୀ ୮ ତାରିଖରେ ସରୁଛି। ଆଉ ବର୍ତ୍ତମାନର ସ୍ଥିତି ଦେଖିଲେ ଦୁଇଟି ରାଜ୍ୟରେ ବିଜେପି କ୍ଷମତାରେ ରହିଛି।  ତେବେ ହିମାଚଳ ପ୍ରଦେଶରେ ଆଗୁଆ ନିର୍ବାଚନ ତାରିଖ ଘୋଷଣା ହେବାର କାରଣ ବତାଇଛନ୍ତି ଇସି। 

ଇସି କହିଛନ୍ତି ହିମାଚଳ ପ୍ରଦେଶରେ ଆଗୁଆ ନିର୍ବାଚନ ଘୋଷଣା କରିବାର ଅନେକ କାରଣ ରହିଛି। ଯେମିତିକି ପାଣିପାଗ। ରାଜ୍ୟରେ ବରଫପାତ ହେବା ପୂର୍ବରୁ ଆମେ ନିର୍ବାଚନ ପ୍ରକ୍ରିୟା ସାରିଦେବାକୁ ଚାହୁଁଛୁ।” ତେବେ ଏଥିପାଇଁ ରାଜ୍ୟର ଅନେକ ବିଭିନ୍ନ ଅଧିକାରୀଙ୍କର ପରାମର୍ଶ ଲୋଡ଼ାଯାଇଛି ବୋଲି ଇସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।   

କେବଳ ସେତିକି ନୁହେଁ, ହିମାଚଳ ପ୍ରଦେଶରେ ଏଥର ନିର୍ବାଚନ ଆଚରଣ ବିଧି କମ୍ ଦିନ ପାଇଁ ଲାଗୁ ହେବ। ୭୦ ଦିନ ପରିବର୍ତ୍ତେ ୫୭ ଦିନ ପାଇଁ ଆଚରଣ ବିଧି ଲାଗୁ ହେବ ବୋଲି ନିର୍ବାଚନ କମିଶନ କହିଛନ୍ତି। କେବଳ ଏହି ଘଟଣା ନୁହେଁ, ହିମାଚଳ ପ୍ରଦେଶରେ ଭୋଟିଂ ତାରିଖ ଓ ଫଳାଫଳ ଘୋଷଣା ତାରିଖରେ ପାଖାପାଖି ମାସେ ବ୍ୟବଧାନ ରହିଛି। ଭୋଟିଂ ତାରିଖ ନଭେମ୍ବର ୧୨ ତାରିଖ ହୋଇଥିବା ବେଳେ ଡିସେମ୍ବର ୮ ତାରିଖରେ ଫଳାଫଳ ଘୋଷଣା କରିବାକୁ ତାରିଖ ଧାର୍ଯ୍ୟ କରାଯାଇଛି। ଏହାକୁ ନେଇ ସନ୍ଦେହ ଉପୁଜିଛି। ଫଳାଫଳ ଘୋଷଣାରେ କାହିଁକି ଏତେ ବିଳମ୍ବ ହେଲା ତାହାକୁ ନେଇ ପ୍ରଶ୍ନ ଉଠୁଛି।

ଘଟଣାକୁ ନେଇ ବିରୋଧି କଂଗ୍ରେସ ବିଜେପିକୁ ଟାର୍ଗେଟ୍ କରିଛି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ବିଜେପି ଲୋକଙ୍କୁ ଲୋଭେଇଲା ଭଳି ଯୋଜନା ଲାଗୁ କରିବ। ଏଥିପାଇଁ ଅଧିକ ସମୟ ନିଆଯାଇଛି ବୋଲି କଂଗ୍ରେସ ଟାର୍ଗେଟ୍ କରିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.