ହିମାଚଳ ପ୍ରଦେଶ ବିଧାନସଭା ଲାଗି ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି EC, ଡାକିଛନ୍ତି ସାମ୍ବାଦିକ ସମ୍ମିଳନୀ

Published By : Prameya-News7 Bureau | October 14, 2022 IST

ନୂଆଦିଲ୍ଲୀ ୧୪।୧୦: ନିର୍ବାଚନ ଆୟୋଗ (ଇସି) ଶୁକ୍ରବାର ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନର କାର୍ଯ୍ୟକ୍ରମ ଘୋଷଣା କରିପାରନ୍ତି। ତେବେ ସୂତ୍ରାନୁସାରେ ଶୁକ୍ରବାର କେବଳ ହିମାଚଳ ପ୍ରଦେଶ ନିର୍ବାଚନର ତାରିଖ ଘୋଷଣା ହୋଇପାରେ। ଗୁଜରାଟ ଲାଗି ତାରିଖ ଘୋଷଣା ପରେ ହେବ। ଏଥିଲାଗି  ଇସି ଅପରାହ୍ନ ୩ଟା ବେଳେ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି, ତେବେ ଏହାର କାରଣ ଜଣାଇ ନାହାନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗୁଜରାଟ ବିଧାସନଭା କାର୍ଯ୍ୟକାଳ ୧୮ ଫେବୃଆରୀ ୨୦୨୩ରେ ସମାପ୍ତ ହେବ। ତେବେ ହିମାଚଳ ପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ୮ ଜାନୁୟାରୀ ୨୦୨୩ରେ ସରୁଛି। ଏଣୁ ରାଜ୍ୟମାନଙ୍କରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ଲାଗି ନିକଟରେ ଇସି ଦୁଇ ରାଜ୍ୟଙ୍କୁ ଗସ୍ତ କରିଥିଲେ। ଉଭୟ ରାଜ୍ୟରେ ଗତ ବିଧାନସଭା ନିର୍ବାଚନ ୨୦୧୭ ମସିହାରେ ହୋଇଥିଲା। ଗୁଜରାଟ ବିଧାନସଭାର ୧୮୨ ଆସନ ଲାଗି ଓ ହିମାଚଳ ବିଧାନସଭାର ୬୮ଟି ଆସନ ନିମନ୍ତେ ନିର୍ବାଚନ ହେବ।

ଉଭୟ ରାଜ୍ୟରେ ଏବେ ବିଜେପିର ସରକାର ରହିଛି। ଏଣୁ ଦ୍ୱିତୀୟବାର ସରକାର କରିବାକୁ ବିଜେପି ସାମାନ୍ୟତମ ଅବହେଳା ମଧ୍ୟ କରିବ ନାହିଁ। ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ରାଜ୍ୟକୁ ତୋଫାନୀ ଗସ୍ତ କରୁଛନ୍ତି। ତେବେ ଆମ ଆଦମୀ ପାର୍ଟି ଗୁଜରାଟରେ ପ୍ରଥମ ଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବାକୁ ଯାଉଛି। ଗୁଜରାଟ ଓ ହିମାଚଳରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ରହିଛି।  ହେଲେ ପଞ୍ଜାବରେ ସରକାର କରିବା ପରେ ଆପର  ଉତ୍ସାହ ଏବେ ଢେର ବଢି ଯାଇଛି। ଏଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ବାରମ୍ବାର ଗୁଜରାଟ ଗସ୍ତ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.