‘ଭାଷା ଉପରେ ରଖନ୍ତୁ ନିୟନ୍ତ୍ରଣ’: କର୍ଣ୍ଣାଟକ ନିର୍ବାଚନକୁ ନେଇ ନେତାଙ୍କୁ ନିର୍ବାଚନ ଆୟୋଗଙ୍କ ପରାମର୍ଶ

Published By : Prameya-News7 Bureau | May 02, 2023 IST

ନୂଆଦିଲ୍ଲୀ, ୦୨/୦୫: କର୍ଣ୍ଣାଟକରେ ମେ ୧୦ରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୀତିକ ଦଳମାନେ ଜୋର୍‌ ସୋର୍‌ରେ ପ୍ରଚାରରେ ଲାଗିପଡ଼ିଛନ୍ତି। ଜାରି ରହିଛି ଆରୋପ-ପ୍ରତ୍ୟାରୋପ। ତେବେ ଅନେକ ଥର ପ୍ରଚାର ସମୟରେ ନେତାମାନେ ଭାଷାର ମର୍ଯ୍ୟାଦା ଉଲ୍ଲଘଂନ କରୁଥିବାର ଅଭିଯୋଗ ହୋଇଛି। ନେତାଙ୍କ ବିଷାକ୍ତ ବୟାନ ଉପରେ ରୋକ୍‌ ଲଗାଇବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗ ଏବେ ଷ୍ଟାର ପ୍ରଚାରକ ଏବଂ ପାର୍ଟୀ ପାଇଁ ନୂଆ ଆଡଭାଇଜରି ଜାରି କରିଛନ୍ତି।

ନିର୍ବାଚନ ଆୟୋଗ କହିଛନ୍ତି ଯେ ପ୍ରଚାର ସମୟ​‌ରେ ଭାଷାର ମାନ ରଖିବା ପାଇଁ ଆଡଭାଇଜରୀ ଜାରି କରାଯାଉଛି। ଆଡଭାଇଜରୀରେ ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ସଂହିତା ଏବଂ ନିୟମକୁ ମନେ ପକାଇବା ସହ ସବୁ ରାଜନୈତିକ ଦଳ ଏବଂ ଆଶାୟୀଙ୍କୁ ସାବଧନ ଏବଂ ସଂଯମତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଆୟୋଗ ସିଇଓଙ୍କୁ ନିୟମ ଏବଂ କାନୁନ ଢାଞ୍ଚା ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀରେ ଆଜି ବିଜେପିର ପ୍ରତିନିଧିମଣ୍ଡଳ ନିର୍ବାଚନ ଆୟୋଗଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ ପୁଅ ପ୍ରିୟାଙ୍କ ଅଭିଯୋଗ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି କଂଗ୍ରେସ ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଆପତ୍ତିଜନକ ଭାଷାର ବ୍ୟବହାର କରୁଛନ୍ତି ତାହା ତାଙ୍କର ହତାଶା। ଆମେ ନିର୍ବାଚନ ଆୟୋଗଙ୍କୁ, ଖଡଗେ ଏବଂ ତାଙ୍କ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା କରିବାକୁ ଦାବି କରିଛୁ।

ସେପଟେ କଂଗ୍ରେସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କ ଉପରେ ଘୃଣା ପୂର୍ଣ୍ଣ ଭାଷଣ ଦେବାକୁ ନେଇ ଅଭିଯୋଗ କରିଛି। କଂଗ୍ରେସ କହିଛି ଯେ ବିଜେପିର ତିନି ନେତା କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ସମୟରେ ଏଭଳି ଟିପ୍ପଣୀ କରିଛନ୍ତି ଯାହା ଘୃଣା ଭାଷଣ ପରିଧିରେ ଆସୁଛି। କଂଗ୍ରେସ ନିର୍ବାଚନ ଆୟୋଗଙ୍କୁ ଏହି ତିନି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.