ନିଜର ସବୁ ଜମିବାଡ଼ି ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ କରିବାକୁ ଚାହୁଁଛନ୍ତି ୮୫ ବର୍ଷ ବୟସ୍କା ମହିଳା

Published By : Prameya-News7 Bureau | December 03, 2020 IST

ନୂଆଦିଲ୍ଲୀ ୦୩/୧୨ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶ ବିଦେଶରେ ବହୁତ ଲୋକପ୍ରିୟ। ଦେଶ ଛଡା ବିଦେଶରେ ମଧ୍ୟ ମୋଦିଙ୍କ ବହୁତ ପ୍ରଶଂସକ ଅଛନ୍ତି। ତାଙ୍କ ପ୍ରତି ଲୋକଙ୍କ ସମର୍ପଣ ଭାବ ମଧ୍ୟ ରହିଛି। ଏହିଭଳି ଜଣେ ମହିଳା ପ୍ରଶଂସକ ଅଛନ୍ତି ଉତ୍ତର ପ୍ରଦେଶ ମୈନପୁରରେ। ୮୫ ବର୍ଷ ବୟସ୍କ ମହିଳା ହେଲେ ବିଟ୍ଟନ ଦେବୀ। ସେ ନିଜର ସବୁ ଜମିବାଡ଼ି ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ବୁଧବାର ଦିନ ମୈନପୁର ତହସିଲ ଅଫିସ ଯାଇ ଓକିଲଙ୍କୁ ନିଜର ସବୁ ଜମିବାଡ଼ି ମୋଦିଙ୍କ ନାଁରେ ଟ୍ରାନ୍ସଫର କରିବାକୁ କହିଥିଲେ। ମହିଳାଙ୍କ କଥା ଶୁଣି ସମସ୍ତେ ଚମକି ପଡ଼ିଥିଲେ। ମହିଳାଙ୍କ ଏହି ପଦକ୍ଷେପ ପଛରେ ଏକ କାହାଣୀ ରହିଛି।

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ, ୮୫ ବର୍ଷୀୟ ବିଟ୍ଟନ ଦେବୀଙ୍କ ଘର ଚିତାୟନ ଗାଁରେ। ତାଙ୍କ ପାଖରେ ୩୦ ହଜାର ସ୍କୁୟେରଫୁଟ ଜମି ଅଛି। ବୁଧବାର ଦିନ ସେ ହଠାତ ମୈନପୁର ତହସିଲ ଯାଇ ଓକିଲ ପ୍ରତାପ ସିଂହଙ୍କ ଚାମ୍ବରକୁ ଯାଇ ଓକିଲଙ୍କ ସହ କଥା ହେଲେ ଏବଂ ନିଜର ସବୁ ଜମି ମୋଦିଙ୍କ ନାଁରେ କରିବାକୁ କହିଥିଲେ। ବୃଦ୍ଧାଙ୍କ କଥା ଶୁଣି ଓକିଲ ଆଶ୍ଚର୍ଯ୍ୟ ହୋଇଗଲେ।

ତହସିଲ ଅଫିସରେ ଥିବା କର୍ମଚାରୀ ମହିଳାଙ୍କୁ ବହୁତ ବୁଝାଇଥିଲେ କିନ୍ତୁ ସେ ନିଜ ଜିଦରେ ଅଟଳ। ଫଳରେ ଓକିଲ ମହିଳାଙ୍କୁ ତାଙ୍କର ସବୁ ତଥ୍ୟ ମାଗିଥିଲେ। ମହିଳା କହିଲେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କର ଦୁଇ ପୁଅ ଓ ବୋହୁ ଅଛନ୍ତି। ତାଙ୍କ ପୁଅ-ବୋହୁ ତାଙ୍କର ଜନତା ନିଅନ୍ତିନି ବୋଲି ସେ କହିଥିଲେ। ସରକାର ଦେଉଥିବା ବୃଦ୍ଧାବସ୍ଥା ଭତ୍ତାରେ ସେ ଚଳନ୍ତି। ସେଥିପାଇଁ ସେ ନିଜ ଜମି ମୋଦିଙ୍କ ନାଁରେ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ।

ମହିଳାଙ୍କ କଥା ଶୁଣି ଓକିଲ ପ୍ରତାପ ସିଂହ ଏ ସମ୍ବନ୍ଧରେ ଜିଲ୍ଲା ଅଧିକାରୀଙ୍କ ସହ କଥାବାର୍ତ୍ତା ହେବାକୁ କହି ମହିଳାଙ୍କୁ ଘରକୁ ପଠାଇ ଦେଇଥିଲେ। ତେବେ ଦୁଇ ଦିନ ପରେ ସେ ପୁଣି ଆସିବେ ବୋଲି ତହସିଲ ଅଫିସ ଓକିଲଙ୍କୁ କହି ଯାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.