କ୍ୟାମେରାରେ ହତ୍ୟାକାରୀ : ସାନ ଭାଇକୁ ହତ୍ୟାକଲା ବଡ ଭାଇ

Published By : Prameya-News7 Bureau | June 08, 2019 IST

ଭୁବନେଶ୍ବର ୮|୬: ଭୁବନେଶ୍ବର ଉପକଣ୍ଠରେ ଯୁବକଙ୍କୁ ବୀଭତ୍ସ ହତ୍ୟା । କ୍ୟାମେରାରେ କଏଦ ହୋଇଛି ହତ୍ୟାର ଦୃଶ୍ୟ । ଦିନରେ ହତ୍ୟା କରି ଅଭିଯୁକ୍ତବେଶ ଆରାମରେ ଚାଲି ଯାଉଛି । ଏସବୁ ଦୃଶ୍ୟକୁ କ୍ୟାମେରାରେ ସୁଟିଂ ହୋଇଛି । ହେଲେ ସବୁଠୁ ଆଶ୍ଚର୍ଯ୍ୟ କେହି ବି ପୋଲିସକୁ ସୂଚନା ଦେଇନାହାନ୍ତି ।

ବାଲିଅନ୍ତା ଥାନା ଅଟଳ ସ୍ଥିତ ପଞ୍ଚମୁଖୀ ଆପାର୍ଟମେଣ୍ଟ ଗେଟ୍ ଆଗରେ ଅପରାହ୍ନ ୫ଟା ବେଳେ ଘଟିଛି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣି ହତ୍ୟା କରିବା ପରେ ଆଖି ତାଡି ଦେଇଛି ଅଭିଯୁକ୍ତ । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଲକ୍ଷ୍ମୀସାଗର ଥାନା ଶବର ସାହିର ପ୍ରୀତମ ରାଉତରାୟ । ଆଉ ହତ୍ୟାକାରୀ ତାର ନିଜ ବଡଭାଇ ବୋଲି ପୋଲିସ ସୂଚନା ଦେଇଛି ।

ପ୍ରାଥମିକ ଦତନ୍ତ ଅନୁଯାୟୀ ଏହି ହତ୍ୟାକାଣ୍ଡ ଦେହ ବ୍ୟବସାୟକୁ କେନ୍ଦ୍ର କରି ହୋଇଛି । କୌଣସି କାରଣକୁ ନେଇ ଗତକାଲି ଅପରାହ୍ନରେ ଦୁଇ ଜଣଙ୍କ ଭିତରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏହାପରେ ଦୁଇଜଣ ଯାଇଥିଲେ ପଞ୍ଚମୁଖୀ ଆପାର୍ଟମେଣ୍ଟ ପାଖକୁ । ସେଠାରେ ବଡଭାଇ ପ୍ରୀତମଙ୍କୁ ଅଚାନକ ଖଣ୍ଡାରେ ଆକ୍ରମଣ କରିଥିଲେ । ପ୍ରୀତମ ଭୟରେ ଧାଇଁଥିଲେ ବି ସେ ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ । ବାଟରେ ଯାଉଥିବା ଲୋକେ ହତ୍ୟାକାଣ୍ଡ ଦେଖୁଥିଲେ । ପାଖରେ ଥିବା ଅନ୍ୟ ଏକ ଆପାର୍ଟମେଣ୍ଟରେ ଅନେକ ଶ୍ରମିକ କାମ କରଥିଲେ । ଏପଟେ ପଞ୍ଚମୁଖୀ ଆପାର୍ଟମେଣ୍ଟ ଉପରେ ଠିଆ ହୋଇ ଜଣେ ଲୋକ ହତ୍ୟାକାଣ୍ଡର ଭିଡିଓ ସୁଟିଂ କରୁଥିଲେ । ହେଲେ କେହି ବି ପୋଲିସକୁ ଫୋନ୍ କରି ନଥିଲେ । ପ୍ରୀତମକୁ ହତ୍ୟା କରୁଥିବା ସ୍ଥାନଠୁ ମାତ୍ର ୨୦ଫୁଟ ଦୁରରେ ସିକ୍ୟୁରିଟି ଗାର୍ଡ ଠିଆ ହୋଇଥିଲେ । ହତ୍ୟା କରିବା ପରେ ଅଭିଯୁକ୍ତ ବଡଭାଇ ଖଣ୍ଡାକୁ ଏକ ଗାମୁଛାରେ ଗୁଡାଇ ବେଶ ଆରାମରେ ଖସି ଯାଇଥିଲା । ସବୁଠୁ ବଡକଥା ହତ୍ୟାକାଣ୍ଡକୁ ଚାରିପଟେ ଲୋକେ ଠିଆ ହୋଇ ଦେଖୁଥିଲେ, ହେଲେ ସମସ୍ତେ ନୀରବଦ୍ରଷ୍ଟା ସାଜିଥିଲେ । କିଛି ସମୟ ପରେ ସୂଚନା ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। କ୍ୟାମେରା ଦୃଶ୍ୟ ଆଧାରରେ ପୋଲିସ ଏବେ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.