ଜଳିଗଲା ଇଲେକ୍ଟ୍ରି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

Published By : Prameya-News7 Bureau | October 25, 2022 IST

ବାରିପଦା ୨୫/୧୦: ଜଳିଗଲା ଇଲେକ୍ଟ୍ରି ଦୋକାନ । ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ପାଉଁଶ । ଏମିତି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ମୁଖ୍ୟ ରାସ୍ତା କଡ଼ରେ ଥିବା ଶ୍ରୀ ଇଲେକ୍ଟ୍ରୋନିକ୍ସ ସୋରୁମରେ । ଶ୍ରୀ ଇଲେକ୍ଟ୍ରୋନିକ୍ସରେ ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ସୋମବାର ଦୋକାନ ମାଲିକ ମନୋରଞ୍ଜନ ମହାନ୍ତ ପୂଜା ସାରି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ମଙ୍ଗଳବାର ସକାଳୁ ତାଙ୍କ ଦୋକାନ ବନ୍ଦ ଥିବାବେଳେ ଦୋକାନରୁ ଧୂଆଁ ବାହାରିବା ଦେଖି ଲୋକେ ଆଖପାଖ ଲୋକେ ଦୋକାନ ମାଲିକ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଦୋକାନ ମାଲିକ ସଟର ଖୋଲି ଦେଖିବା ପରେ ଫ୍ରିଜ, ଏଲଇଡ଼ି ଟିଭି, ଏସି, କୁଲର, ଫ୍ୟାନ, ଇଣ୍ଡକ୍ସନ ଚୁଲି ଆଦି ଦାମୀ ଇଲେକ୍ଟ୍ରୋନିକ୍ସ ଜିନିଷ ଗୁଡିକ ନିଆଁରେ ଜଳୁଥିବା ଦେଖିବାକୁ ପାଇଥିଲେ ।

ରାଇରଙ୍ଗପୁର ଅଗ୍ନିଶମ ବାହିନୀ ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଥିଲା । ହେଲେ ସେତେବେଳେକୁ ସମସ୍ତ ଇଲେକ୍ଟ୍ରୋନିକ୍ସ ଜିନିଷ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା । ନଷ୍ଟ ହୋଇଥିବା ଜିନିଷର ମୂଲ୍ୟ ୨୫ ରୁ ୩୦ ଲକ୍ଷ ଟଙ୍କା ହେବ ବୋଲି ଦୋକାନ ମାଲିକ ସ୍ପଷ୍ଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.