ଡିନର ରାଜନୀତିରେ ହିଟ୍‌ ୱିକେଟ ହେଲେ ଶରଦ ପୱାର, ନିମନ୍ତ୍ରଣକୁ ପ୍ରତ୍ୟାଖାନ କଲେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | March 01, 2024 IST

ମୁମ୍ବାଇ: ମହାରାଷ୍ଟ୍ରରେ ଶରଦ ପଓ୍ବାରଙ୍କ ରାତ୍ର ଭୋଜନ ନିମନ୍ତ୍ରଣକୁ ନେଇ ରାଜନୀତି ଜୋର୍‌ ଧରିଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ଅଜିତ ପଓ୍ବାରଙ୍କୁ, ଶରଦ ପଓ୍ବାରଙ୍କ ତରଫରୁ ମିଳିଥିବା ରାତ୍ର ଭୋଜନ ନିମନ୍ତ୍ରଣକୁ ଅଗ୍ରାହ୍ୟ କରିଛନ୍ତି। ପ୍ରଥମେ ଏକନାଥ ସିନ୍ଦେ ପଓ୍ବାରଙ୍କ ଡିନରକୁ ଯିବାକୁ ମନା କରିଦେଇଥିବାବେଳେ। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ବାରାମତୀରେ ବ୍ୟସ୍ତ କାର୍ଯ୍ୟକ୍ରମ ଯୋଗୁଁ ଡିନରରେ ଯୋଗଦେଇପାରିବେ ନାହିଁ ବୋଲି କହିଛନ୍ତି।

ପ୍ରକୃତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ, ଶନିବାର ବାରାମତୀରେ ନମୋ ରୋଜଗାର ମେଳାରେ ସାମିଲ ହେବେ। ବିଦ୍ୟା ପ୍ରତିଷ୍ଠାନ ପଡ଼ିଆରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଦେଖି ଶରଦ ପଓ୍ବାର, ସିଏମ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ଡିନର ରଖିଥିଲେ ଆଉ ଏଥିପାଇଁ ନିମନ୍ତ୍ରଣ ମଧ୍ୟ ପଠାଇଥିଲେ। ସୂଚନା ଅନୁଯାୟୀ, ଶରଦ ପଓ୍ବାର ସେମାନଙ୍କୁ ନିଜ ବାସଭବନକୁ ରାତ୍ର ଭୋଜନରେ ଡକିଥିଲେ ଏମିତିକି ଅନ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଫୋନ୍‌ ସହ ଚିଠି ମଧ୍ୟ କରିଥିଲେ।

ଆହୁରି ପଢ଼ନ୍ତୁ: ବିଦ୍ରୋହୀ ହେଲେ ମମତାଙ୍କ ମୁଖପାତ୍ର, ସୋସିଆଲ ମିଡିଆରୁ ହଟାଇଲେ ପାର୍ଟୀ ପରିଚୟ

ତେବେ ଏହି ନିମନ୍ତ୍ରଣ ପଛରେ ଶରଦ ପଓ୍ବାରର ମାଷ୍ଟର ଷ୍ଟ୍ରୋକ ରହିଥିଲା ବୋଲି କୁହାଯାଉଥିଲା। ପ୍ରକୃତରେ ଶରଦ ପଓ୍ବାର ନିଜ ଝିଅ ସୁପ୍ରିୟା ସୁଲେଙ୍କ ପାଇଁ ବାରାମତି ସିଟ୍‌କୁ ସୁରକ୍ଷିତ କରିବାକୁ ଚାହୁଥିଲେ। କାରଣ ଅଜିତ ପଓ୍ବାରଙ୍କ ପତ୍ନୀ ସୁନେତ୍ରା ପଓ୍ବାର ଏହି ଆସନରୁ ଆଶାୟୀ ହୋଇପାରନ୍ତି। ଯାହାର ପ୍ରସ୍ତୁତି ମଧ୍ୟ ଅଜିତ ପଓ୍ବାର ଆରମ୍ଭ କରିଦେଇଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶରଦ ପଓ୍ବାର ଏକନାଥ ସିନ୍ଦେ ଏବଂ ଅଜିତ ପଓ୍ବାରଙ୍କ ଉପସ୍ଥିତିରେ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ଚାହୁଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଡିନରକୁ ନଆସିବା ଏବେ ଶରଦ ପଓ୍ବାରଙ୍କୁ ଏକ ବଡ଼ ଝଟକା ବୋଲି କୁହାଯାଉଛି।

ସୂଚନାଥାଉକି, ବାରାମତିରେ ପ୍ରଥମ ଥର ଶରଦ ପଓ୍ବାର ଏଭଳି ଭାବରେ ଅଡ଼ୁଆରେ ଫସିଛନ୍ତି। ଏହି ପାରମ୍ପରିକ ସିଟ୍‌କୁ ବଞ୍ଚାଇବା ମଧ୍ୟ ତାଙ୍କ ପାଇଁ ମୁସ୍କିଲ ହେଉଥିବାର ନଜର ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.