ଜାନୁୟାରୀ ୨୬ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଇଜିପ୍ଟ ରାଷ୍ଟ୍ରପତି, ଦୁଇ ଦେଶଙ୍କ ମଧ୍ୟରେ ମଜଭୁତ ହେବ ସମ୍ପର୍କ

Published By : Prameya-News7 Bureau | November 25, 2022 IST

ନୂଆଦିଲ୍ଲୀ ୨୫।୧୧: ଭାରତର ୨୦୨୩ ଗଣତନ୍ତ୍ର ଦିବସ ସମାରୋହରେ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ଅଲ ସିସି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏଥି ଲାଗି ଭାରତ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଭାରତର ଏହି ପଦକ୍ଷେପ ଇଜିପ୍ଟ ସହିତ କୂଟନୈତିକ ଓ ସୈନ୍ୟ ସମ୍ପର୍କକୁ ମଜଭୁତ କରିବାରେ ସହାୟକ ସାବ୍ୟସ୍ତ ହେବ। ଏହା ସହିତ ଏହି ଆଫ୍ରିକୀୟ ଦେଶକୁ ଭାରତର ପହଞ୍ଚ ମଧ୍ୟ ମଜଭୁତ ହେବ। ଚଳିତ ବର୍ଷ ଉଭୟ ଦେଶ ଭାରତ ଓ ଇଜିପ୍ଟ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକ ପାଳନ କରିଛନ୍ତି।

ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚଳିତବର୍ଷ ଇଜିପ୍ଟ ଗସ୍ତ କରିଥିଲେ। ଉଭୟମନ୍ତ୍ରୀ ଗସ୍ତ କାଳରେ ଇଜିପ୍ଟ ରାଷ୍ଟ୍ରପତି ଫତେହ ଅଲ ସିସିଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା ପ୍ରଦାନ କରିଥିଲେ। ଏହି କ୍ରମରେ ତାଙ୍କୁ ୨୬ ଜାନୁୟାରୀ ଗଣତନ୍ତ୍ର ଦିବ ସମାରୋହରେ ଅତିଥି ହେବା ଲାଗି ଆମନ୍ତ୍ରଣ କରାଯାଇଥିବା ବେଳେ ଆାଗମୀ ଦିନମାନଙ୍କରେ ଭାରତ ଓ ଇଜିପ୍ଟ ସମ୍ପର୍କ ଆହୁରି ମଜଭୁତ ହେବ ବୋଲି ଆଶା ପୋଷଣ କରାଯାଉଛି।

କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗତ ସେପ୍ଟେମ୍ବର ମାସରେ ଇଜିପ୍ଟ ଗସ୍ତରେ ଯାଇଥିଲେ। ଏହି ଗସ୍ତ କାଳରେ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶଙ୍କ ଚର୍ଚ୍ଚା ହୋଇଥିଲା। ରାଜନାଥ ତାଙ୍କର ଏହି ଗସ୍ତ କାଳରେ ଇଜିପ୍ଟ ପ୍ରତିରକ୍ଷାମନ୍ତ୍ରୀ  ଜେନେରାଲ ମହମ୍ମଦ ଜାକିଙ୍କ ସହ ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଭାଗିଦାରୀ ଓ ସହଯୋଗ ନେଇ ରାଜିନାମା ହୋଇଥିଲା। ଏଥିରେ ସେନାର ପ୍ରଶିକ୍ଷଣ, ପ୍ରତିରକ୍ଷା ଉପକରଣ ଓ ଅସ୍ତ୍ରଶସ୍ତ୍ରର ଭାଗିଦାରୀ ଉପରେ ସହମତି ହୋଇଥିଲା। ଏହି ଆଲୋଚନା କାଳରେ ଏହା ମଧ୍ୟ ସ୍ପଷ୍ଟ ହୋଇଥିଲା ଯେ  ଭାରତର ହାଲୁକା ଯୁଦ୍ଧବିମାନ ତେଜସ୍ କ୍ରୟ ଲାଗି ଇଜିପ୍ଟ ଆଗ୍ରହୀ ଅଛି।

ଗତ ଅକ୍ଟୋବର ମାସରେ ଗୁଜରାଟ ଗାନ୍ଧିନଗରରେ ଅନୁଷ୍ଠିତ ହୋଇଯାଇଥିବା ଦ୍ୱାଦଶ ଡିଫେନ୍ସ ଏକ୍ସପୋକୁ ମଧ୍ୟ ଇଜିପ୍ଟ ଆମନ୍ତ୍ରିତ   ହୋଇଥିଲା। ଏହି ଅବସରରେ ଇଣ୍ଡିଆ-ଆଫ୍ରିକା ଡିଫେନ୍ସ ଡାୟଲଗ ଓ ଆଇଓଆର ଡିଫେନ୍ସ ମିନିଷ୍ଟର୍ସ କନକ୍ଲେଭରେ ମଧ୍ୟ ଇଜିପ୍ଟ  ଯୋଗ ଦେଇଥିଲା। ଅତୀତରେ ଭାର-ଇଜିପ୍ଟ ବାୟୁସେନାରେ ପାରସ୍ପରିକ ସହଯୋଗ ଥିଲା। ୧୯୬୦ ଦଶକରେ ଦୁଇ ଦେଶ ମିଶି ଯୁଦ୍ଧବିମାନ ଉତ୍ପାଦନ କରୁଥିଲେ। ଏହା ଛଡା ୧୯୮୪ ମସିହା ପର୍ଯ୍ୟନ୍ତ ଭାରତୀୟ ବାୟୁସେନା ଇଜିପ୍ଟ ପାଇଲଟ ମାନଙ୍କୁ ଟ୍ରେନିଂ ମଧ୍ୟ ଦେଉଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.