ଐତିହାସିକ ଗସ୍ତରେ ଭାରତ ପହଞ୍ଚିଲେ ଇଜିପ୍ଟ ରାଷ୍ଟ୍ରପତି ଫତହ ଅଲ-ସିସି, ସାଧରଣତନ୍ତ୍ର ଦିବସ ସମାରୋହରେ ଯୋଗଦେବେ
24/01/2023 at 8:10 PM

ନୂଆଦିଲ୍ଲୀ ୨୪।୧: ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତହ ଅଲ-ସିସି ମଙ୍ଗଳବାର ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସେ ଅନୁଷ୍ଠିତ ହେବାକୁ ଯାଉଥିବା ୭୪ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ। ୨୪ରୁ ୨୭ ଜାନୁୟାରୀ ଅଧିକାରୀକ ଯାତ୍ରାରେ ଅଲ-ସିସିଙ୍କ ସହ ୫ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧି ମଣ୍ଡଳ ମଧ୍ୟ ଭାରତ ପହଞ୍ଚିଛନ୍ତି।
ଫତହ ଅଲ-ସିସି ଓ ତାଙ୍କ ପ୍ରତିନିଧି ମଣ୍ଡଳ ବିମାନ ବନ୍ଦରରେ ପହଞ୍ଚିବା ପରେ ପାରମ୍ପରିକ ଲୋକନୃତ୍ୟ ସହ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଭାରତର ଗଣତନ୍ତ୍ର ଦିବ ସମାରୋହରେ ଇଜିପ୍ଟ ରାଷ୍ଟ୍ରପତି ପ୍ରଥମ ଥର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଇଜିପ୍ଟ ରାଷ୍ଟ୍ରପତିଙ୍କ ଏହି ଭାରତ ଗସ୍ତ ବାସ୍ତବିକ ଐତିହାସିକ। କାରଣ ଚଳିତବର୍ଷ ଇଜିପ୍ଟ ଓ ଭାରତର କୁଟନୈତିକ ସମ୍ପର୍କକୁ ୭୫ତମ ବର୍ଷ ପୁରଣ ହୋଇଛି। ଭାରତ ନିଜର ଜି-୨୦ ଅଧ୍ୟକ୍ଷତାରେ ଇଜିପ୍ଟକୁ ‘ଅତିଥି’ ଦେଶ ରୂପେ ଆମନ୍ତ୍ରିତ କରିଛି।

ଅଲ-ସିସିଙ୍କୁ ଇଜିପ୍ଟର ସବୁଠୁ ପ୍ରଭାବଶାଳୀ ନେତା ମନେ କରାଯାଏ। ଇଜିପ୍ଟର ରାଜନୈତିକ ଅସ୍ଥିରତାରେ ଅଲ-ସିସିହିଁ ରାଜନୈତିକ ସ୍ଥିରତା ଆଣି ପାରିଛନ୍ତି। ରାଷ୍ଟ୍ରପତି ହେବା ପୂର୍ବରୁ ଅଲ-ସିସି ଇଜିପ୍ଟ ସେନା ମୁଖ୍ୟଥିଲେ। ସେ ଜୁଲାଇ ୨୦୧୩ରେ ରାଷ୍ଟ୍ରପତି ମହମ୍ମଦ ମର୍ସିଙ୍କୁ ପଦରୁ ହଟାଇଥିଲେ। ଅଲ-ସିସିଙ୍କ ଏହି ଗସ୍ତ କାଳରେ ଭାରତ ଓ ଇଜିପ୍ଟ ମଧ୍ୟରେ କୃଷି, ସାଇବର ସୁରକ୍ଷା, ସୂଚନା ଓ ପ୍ରଯୁକ୍ତି ସମେତ ବିଭିନ୍ନ କ୍ଷେତ୍ରରେ ୬ରୁ ଅଧିକ ବୁଝାମଣା ହେବା ନେଇ ଆଶା କରାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ବୟାନ ଅନୁସାରେ ଅଲ-ସିସି ୨୪ରୁ ଜାନୁୟାରୀ ୨୬ ପର୍ଯ୍ୟନ୍ତ ଭାରତ ଯାତ୍ରାରେ ରହିବେ। ଏହି ଅବସରରେ ସେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ମଧ୍ୟ ଦେଖିବେ।
ବୟାନ ଅନୁସାରେ ଜାନୁୟାରୀ ୨୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଲ-ସିସିଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବାର ଅଛି। ଏହି ଆଲୋଚନା ପରେ ଦୁଇ ଦେଶଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ବୁଝାମଣାସବୁ ହେବ। ଏହା ଛଡା ଭାରତ ଓ ଇଜିପ୍ଟ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗକୁ ମଜଭୁତ କରିବା ପାଇଁ ଆଲୋଚନାର ମଧ୍ୟ ଆଶା କରାଯାଉଛି। ଏହା ପୂର୍ବରୁ ଇଜିପ୍ଟ ରାଷ୍ଟ୍ରପତି ଅକ୍ଟୋବର ୨୦୧୫ରେ ତୃତୀୟ ଭାରତ-ଆଫ୍ରିକା ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଆସିଥିଲେ। ଏହା ପରେ ୨୦୧୬ରେ ମଧ୍ୟ ଇଜିପ୍ଟ ରାଷ୍ଟ୍ରପତି ଭାରତ ଆସିଥିଲେ। ତେବେ ପ୍ରଥମ ଥର ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।