ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଇଜିପ୍ଟ ରାଷ୍ଟ୍ରପତି: MEAର ସୂଚନା
27/11/2022 at 6:16 PM

ନୂଆଦିଲ୍ଲୀ: ଏଥର ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତହ ଅଲ ସିସି। ଏନେଇ ରବିବାର ସୂଚନା ଦେଇଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ଏକ ବିବୃତ୍ତି ଜାରି କରି ଏମ୍ଇଏ କହିଛି “ପ୍ରଥମ ଥର ପାଇଁ ଆରବ ରିପବ୍ଲିକ ଅଫ୍ ଇଜିପ୍ଟର ରାଷ୍ଟ୍ରପତି ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ। ”
ଗଣତନ୍ତ୍ର ଦିବସରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଇଜିପ୍ଟ ରାଷ୍ଟ୍ରପତିଙ୍କୁ ଅକ୍ଟୋବର ୧୬ ତାରିଖରେ ଔପଚାରିକ ଭାବେ ନିମନ୍ତ୍ରଣ ପତ୍ର ପଠାଇଥିଲେ। ବୈଦେଶିକ ମନ୍ତ୍ରୀ ଏସ୍ ଜୟଙ୍କରଙ୍କ ମାଧ୍ୟମରେ ଏହି ନିମନ୍ତ୍ରଣ ପତ୍ର ପଠାଯାଇଥିଲା। ସଂଯୋଗର କଥା ହେଲା ଉଭୟ ଇଜିପ୍ଟ ଓ ଭାରତ ଚଳିତ ଥର ନିଜର ନିଜର ୭୫ ତମ ଗଣତନ୍ତ୍ର ଦିବସ ପାଳନ କରିବେ।
ଏହା ପୂର୍ବରୁ ଭାରତ ଅଧ୍ୟକ୍ଷତା କରିଥିବା ୨୦୨୨-୨୩ ଜି-୨୦ ବୈଠକରେ ଇଜିପ୍ଟକୁ ଅତିଥି ଦେଶ ଭାବେ ନିମନ୍ତ୍ରଣ କରିଥିଲା। ସଭ୍ୟତା ଓ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ଥିବା ଉତ୍ତମ ସମ୍ପର୍କ ଯୋଗୁ ଭାରତ- ଇଜିପ୍ଟ ମଧ୍ୟରେ ମୈତ୍ରୀପୂର୍ଣ୍ଣ ସମ୍ପର୍କ ରହିଛି ବୋଲି ଜାରି ବିବୃତ୍ତିରେ କୁହାଯାଇଛି।
୧୯୫୦ରୁ ଗଣତନ୍ତ୍ରି ଦିବସଗୁଡ଼ିକରେ ବିଦେଶୀ ନେତାମାନେ ଯୋଗ ଦେଇଆସୁଛନ୍ତି। କେବଳ ୧୯୫୨,୧୯୫୩,୧୯୬୬ରେ କୌଣସି ବିଦେଶୀ ନେତାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇ ନଥିଲା।