କୌଣସି କାମର ନୁହଁ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା,  ବଦଳାଇ ଦିଅନ୍ତୁ...ଭିଡିଓ ତିଆରି କରି ଆତ୍ମହତ୍ୟା କଲେ ଇଞ୍ଜିନିୟରିଂ ଛାତ୍ର

Published By : Prameya-News7 Bureau | October 28, 2021 IST

ବେଙ୍ଗାଲୁରୁ ୨୮।୧୦: ସାରେ ଉମ୍ର ହମ, ମର ମର କେ  ଜି ଲିଏ...ଏକ ପଲ ତ ଅବ ହମେ ହମେ ଜିନେ ଦୋ ଜିନେ ଦୋ...ଏ ଉଦାସଭରା ଗୀତ ଗାଇବା ପରେ ଛାତ୍ର ଜଣକ ଆତ୍ମହତ୍ୟା କରି ଦିଅନ୍ତି। ଏହି ଗୀତ ଆଳରେ ସେ ଦେଶର ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଏବଂ ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇ ଶେଷରେ ନିଜର ଜୀବନ ହାରି ଦିଅନ୍ତି। ଏହା ହେଉଛି ଥ୍ରୀ ଇଡିୟଟ୍ସ ଫିଲ୍ମର କାହାଣୀ। ଯେଉଁଠି ଜଣେ ଇଞ୍ଜିନିୟରିଂ ଛାତ୍ର କଲେଜ୍‌ର ଶିକ୍ଷା ବ୍ୟବସ୍ଥାରେ ଅତିଷ୍ଠ ହୋଇ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଅନ୍ତି। ଠିକ୍ ସେହିଭଳି ଏକ ଅଭାବନୀୟ ଘଟଣା ଘଟିଛି ବାସ୍ତବ ଜୀବନରେ। ଏକ ଭିଡିଓ ପ୍ରସ୍ତୁତ କରି ସେଥିରେ ରାଜ୍ୟ ସରକାରଙ୍କୁ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରିବାର ଅପିଲ୍ କରି ଇଞ୍ଜିନିୟରିଂ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଘଟିଛି କର୍ଣ୍ଣାଟକର ହସନ ଜିଲ୍ଲାରେ। ଛାତ୍ରଙ୍କ ନାମ ହେମନ୍ତ ଗୌଡା(୨୦)।

ଛାତ୍ରଙ୍କ ମୃତ ଶରୀରର ସୋମବାର ହୋଷ୍ଟେଲ ରୁମରୁ ମିଳିଛି। ଘଟଣାଟି ସୋମବାର ରାତିରେ ଘଟିଥିବା ବେଳେ ମଙ୍ଗଳବାର ଭିଡିଓଟି ପୋଲିସକୁ ମିଳିଛି। ୧୩ ମିନିଟ୍ ୨୧ ସେକେଣ୍ଡର ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ, କୁଳପତି ଏବଂ ସମସ୍ତ ରାଜନୈତିକ ଦଳର ପ୍ରମୁଖ ନେତାଙ୍କୁ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ଅପିଲ୍ କରିଛନ୍ତି। ରୁଗଣ ଶିକ୍ଷା ବ୍ୟବସ୍ଥା ପ୍ରତି ସଭିଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ସେ ନିଜର ଜୀବନ ଉତ୍ସର୍ଗ କରୁଥିବା କହିଛନ୍ତି। ତାଙ୍କ କହିବା କଥା ବର୍ତ୍ତମାନର ଶିକ୍ଷା ପ୍ରଣାଳୀ କୌଣ ସି କାମରେ ନୁହେଁ। ଏଥିସହ ଅଭିଭାବକ, ସାଙ୍ଗ ସାଥୀ ଏବଂ ଶିକ୍ଷକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ହେମନ୍ତ ଗୌଡା ଅପିଲ୍ କରିଛନ୍ତି ଯେ, ତାଙ୍କ ଭିଡିଓ ନ୍ୟୁଜ ଚ୍ୟାନେଲ, ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଅପଲୋଡ କରାଯାଉ। ଏପରିକି ମୃତ୍ୟୁ ପରେ ତାଙ୍କ ଶରୀରର ଅଙ୍ଗ ଦାନ କରିବାକୁ ସେ ଅନୁରୋଧ କରିଛନ୍ତି।  ସେ ଭିଡିଓରେ ଅନୁରୋଧ କରିଛନ୍ତି ଯେ, ତାଙ୍କ ଅନ୍ତିମ ସଂସ୍କାରରେ ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ ଓ ଧର୍ମଗୁରୁଙ୍କ ଉପସ୍ଥିତିରେ କରାଯାଉ। ମହିଳା ମିତ୍ରଙ୍କୁ ଧନ୍ୟବାଦ ଦେଇ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ୍ ହେବାକୁ କହିଛନ୍ତି। ଏହି ଘଟଣାରେ ମା-ବାପାଙ୍କୁ କ୍ଷମା ମାଗିଛନ୍ତି। ପୋଲିସ ମାମଲାର ଯାଞ୍ଚ କରୁଛି।

ଏହି ଘଟଣାରେ ପ୍ରତିକ୍ରିୟା ରଖି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅଶ୍ଵସ୍ତ ନାରାୟଣ କହିଛନ୍ତି, ବର୍ତ୍ତମାନ ସମାଜରେ ସଂସ୍କାରର ଆବଶ୍ୟକତା ରହିଛି। ଏଥିପାଇଁ କିଛି ସମୟ ଦରକାର। ମୁଁ ଛାତ୍ରଙ୍କ ଭାବନାକୁ ବୁଝି ପାରୁଛି। କିନ୍ତୁ ଗୌଡାଙ୍କୁ ଏମିତି କଠୋର ନିଷ୍ପତ୍ତି ନେବାର ନଥିଲା। ଜାତୀୟ ଶିକ୍ଷା ନୀତିରେ ଛାତ୍ର-ଛାତ୍ରୀ ଯେଉଁ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହିଁବେ ସେହି ପାଠ୍ୟକ୍ରମ ଆପଣେଇ ପାରିବେ। ଆଗାମୀ ୧୦ ବର୍ଷରେ ଏହା ଦେଖିବାକୁ ମିଳିବ। ସେ ନିଜର ମତାମତ ରଖି ପାରିଥାନ୍ତେ ମାତ୍ର ଏମିତି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାର ନଥିଲା। ମୃତକଙ୍କ ପରିବାରକୁ ଭଗବାନ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.