ଆର୍ଥିକ ସଂକଟର ବାସ୍ତବ ଚିତ୍ର: କର୍ମଚାରୀ ଛଟେଇ କରୁଛନ୍ତି କମ୍ପାନୀ, ୧୧୦୦ କର୍ମଚାରୀଙ୍କୁ ବିଦା କଲା BYJU
30/06/2022 at 6:19 PM

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ଅବସ୍ଥା ଭଲ ଅଛି ବୋଲି କହିଲେ ବି ବାସ୍ତବ ସ୍ଥିତି ଓଲଟା ଦେଖିବାକୁ ମିଳୁଛି। ଆର୍ଥିକ ସଂକଟର ଚାପ ଷ୍ଟାର୍ଟଅପ୍ କମ୍ପାନୀଗୁଡ଼ିକ ଉପରେ ପଡ଼ିଛି। ଏଥିପାଇଁ କମ୍ପାନୀଗୁଡ଼ିକ କର୍ମଚାରୀ ଛଟେଇରେ ବ୍ୟସ୍ତ। ବିଶେଷକରି ଶିକ୍ଷା କ୍ଷେତ୍ରରେ ଜଡ଼ିତ ବ୍ୟବସାୟକୁ ଏହା ଅଧିକ କ୍ଷତି ପହଞ୍ଚାଇଛି। ଏଥିପାଇଁ ସମ୍ପୃକ୍ତ କମ୍ପାନୀଗୁଡ଼ିକ କର୍ମଚାରୀ ଛଟେଇ କରୁଛନ୍ତି।
ଏବେ ଅନ୍ଲାଇନ୍ ଶିକ୍ଷାଦାନ କରୁଥିବା କମ୍ପାନୀ ବାଇଜୁ(BYJU) ନିଜର ୧୧୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି। ତେବେ କମ୍ପାନୀ କିନ୍ତୁ ଏତେ ସଂଖ୍ୟା ଛଟେଇ ଖବରକୁ ଅସ୍ୱୀକାର କରିଛି। ସେ କେବଳ ହ୍ୱାଇଟହେଟ୍ ଜୁନିୟର(WhiteHat Jr) ଓ ଟପ୍ପର(topper)ରୁ ୫୦୦ କର୍ମଚାରୀଙ୍କୁ ଛଟେଇ କରିଛି ବୋଲି କମ୍ପାନୀ ସୂଚନା ଦେଇଛି। ତେବେ ବହିଷ୍କୃତ କର୍ମଚାରୀଙ୍କୁ ସୂଚନା ଅନୁସାରେ କେବଳ ଟପ୍ପରରୁ ୧୧୦୦ କର୍ମୀଙ୍କୁ ଚାକିରିରୁ ବାହାର କରାଯାଇଛି।
ସୂଚନା ଥାଉକି ଗତବର୍ଷ ୧୫୦ ମିଲିୟନ ଡଲାର ଦେଇ ଟପ୍ପର ଏଜୁକେସନ କମ୍ପାନୀକୁ କିଣିଥିଲା ବାଇଜୁ। WhiteHat Jr ବି ବାଇଜୁ ଗ୍ରୁପର କମ୍ପାନୀ। ନିକଟରେ WhiteHat Jr ନିଜର ୩୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲା। ଏପ୍ରିଲ ଓ ମେ ମାସ ମଧ୍ୟରେ ୨୫୦ କର୍ମଚାରୀ ଏଠାରୁ ଇସ୍ତଫା ଦେଇଥିଲେ। ଏବେ ଟପ୍ପରରୁ ୧୧୦୦ କର୍ମଚାରୀଙ୍କୁ ଛଟେଇ କରିଦିଆଯାଇଛି।
ଏନେଇ ବାଇଜୁ ପ୍ରବକ୍ତା କହିଛନ୍ତି ଯେ ଦୀର୍ଘଦିନ ଧରି କମ୍ପାନୀର ବିକାଶଧାରାକୁ ବଢାଇବା ଓ ବ୍ୟବସାୟର ପ୍ରାଥମିକତାଗୁଡିକୁ ନୂଆ ରୂପରେ ଆୟୋଜନ କରିବା ପାଇଁ ଗ୍ରୁପ୍ର କମ୍ରାନୀ ଟିମ୍ରେ ପରିବର୍ତ୍ତନ କରୁଛୁ। ଆଉ ଏହି ପ୍ରକ୍ରିୟାରେ ଗ୍ରୁପ୍ର ୫୦୦ କର୍ମଚାରୀ ପ୍ରଭାବିତ ହୋଇଛନ୍ତି। ସୂଚନା ଥାଉକି, ଅନଏକାଡେମୀ(Unacademy), ବେଦାନ୍ତୁ( Vedantu),ଲିଡୋ (Lido) ଓ ଫ୍ରଣ୍ଟରୋ ଭଳି ଶିକ୍ଷା ସଂସ୍ଥାନ ପୂର୍ବରୁ ଅନେକ କର୍ମଚାରୀଙ୍କୁ ଛଟେଇ କରିଦିଆଯାଇଛି।