ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡ୍ରିଂ କେସ୍ ଉପରେ ଇଡିର ୟୁଟର୍ଣ୍ଣ, ଏଜେନ୍ସି କହିଲା- ଆମେ ଯାଞ୍ଚ କରୁୁନୁ
23/08/2022 at 11:20 PM

ନୂଆଦିଲ୍ଲୀ: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଥିବା ଖବର ଆସିଥିଲା। ହେଲେ ଏବେ ଇଡି ୟୁଟର୍ଣ୍ଣ ମାରିଛି। ଇଡିର ଉଚ୍ଚପଦସ୍ଥ ଅଧିକାରୀ ସିସୋଦିଆଙ୍କ ବିରୋଧରେ ଇଡି ମାମଲା ରୁଜୁ ଖବରକୁ ଖଣ୍ଡନ କରିଛନ୍ତି। ସିବିଆଇ ମଧ୍ୟ ଏହି ଖବରକୁ ଅଗ୍ରାହ୍ୟ କରିଛି।
ଅବକାରୀ ନୀତି ମାମଲାରେ ଅଗଷ୍ଟ ୧୭ରେ ସିବିଆଇ ଦିଲ୍ଲୀର ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୫ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ସିବିଆଇ ଏଫଆଇଆରରେ ଅପରାଧିକ ଷଡଯନ୍ତ୍ର ସଂପର୍କିତ ଆଇପିସିର ଧାରା ଏବଂ ଦୁର୍ନୀତି ନିବାରଣ ପ୍ରାବଧାନକୁ ଯୋଡିଛି। ତେବେ ଇଡି ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କରିନଥିବା କହିଛି।
ଏହି ମାମଲାରେ ସିବିଆଇ ଗତ ଶୁକ୍ରବାର ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଆଇଏଏସ ଅଧିକାରୀ ତଥା ପୂର୍ବତନ ଅବକାରୀ କମିଶନର ଆରବ ଗୋପି କୃଷ୍ଣାଙ୍କ ବାସଭବନ ସହିତ ୩୧ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା। ସିସୋଦିଆଙ୍କ ଘରେ ପ୍ରାୟ ୧୫ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ଚଢାଉ ସମୟରେ ମିଳିଥିବା କାଗଜପତ୍ରର ଯାଞ୍ଚ କରୁଛି।