ନୂଆଦିଲ୍ଲୀ ୨।୪: ନିଜ ଗିରଫ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କୋର୍ଟରେ ପିଟିସନ ଦାଖଲ କରିଥିଲେ। ମଙ୍ଗଳବାର ଇଡି ଏହାର ଜବାବ କୋର୍ଟଙ୍କୁ ଦେଇଥିବା ବେଳେ ତାଙ୍କ ମୁକ୍ତିକୁ ବିରୋଧ କରିଛି। କେଜରିୱାଲ ଏହି ମାମଲାରେ ତାଙ୍କ ଗିରଫକୁ ଚାଲେଞ୍ଜ କରିବା ସହିତ ଅନ୍ତରୀଣ ଆଶ୍ୱସ୍ତି ରୂପେ ତାଙ୍କ ମୁକ୍ତି ନିମନ୍ତେ ନିବେଦନ କରିଥିଲେ। ଗତ ଶୁଣାଣିରେ କୋର୍ଟ ମାମଲାରେ ଇଡିକୁ ୨ ଏପ୍ରିଲ ସୁଦ୍ଧା ଜବାବ ଦାଖଲ କରିବାକୁ କହିଥିଲେ। ଏବେ ଦିଲ୍ଲୀ ହାଇକୋର୍ଟ ବୁଧବାର ଏହି ମାମଲାରେ ଶୁଣାଣି କରିବେ।
ଇଡି ତାଙ୍କ ଜବାବରେ କହିଛନ୍ତି ଯେ କେଜରିୱାଲଙ୍କୁ ତାଙ୍କ ଗିରଫ ଉପରେ ପ୍ରଶ୍ନ ଉଠାଇବାକୁ ତାଙ୍କ ଅଧିକାର ସେତେବେଳେ ମନେପଡିଥିଲା, ଯେତେବେଳେ ଇଡି କୋର୍ଟରୁ ତାଙ୍କ ଗିରଫ ନିବେଦନ କରି ନଥିଲା। ଏଥିରେ କେଜରିୱାଲ ଏବେ ଦାବି କରିପାରିବେନି ଯେ ତାଙ୍କ ଗିରଫ ଅବୈଧ। ଇଡି କହିଛନ୍ତି ଯେ ଗିରଫକୁ ନେଇ ଟ୍ରାୟଲ କୋର୍ଟଙ୍କ ଆଦେଶ ଉଚିତ ଥିଲା। ଏହାସହିତ ଇଡି ପିଏମଏଲଏ ଅନୁସାରେ ସମସ୍ତ ଜରୁରି ପ୍ରକ୍ରିୟା ପାଳନ କରିଥିବାର ଦାବି କରିଛି।
ନିଜପାଖରେ ମହଜୁଦ ସାମଗ୍ରୀ ଆଧାରରେ ଇଡି ଏହା ମନେ କରନ୍ତି ଯେ କେଜରିୱାଲ ମନିଲଣ୍ଡ୍ରିଂ ଅପରାଧରେ ଦୋଷୀ ଅଟନ୍ତି। କେଜରିୱାଲ ଅବକାରୀ ନୀତି ଅନିୟମିତତାର କିଙ୍ଗପିନ ଓ ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଇଡି ତାଙ୍କ ଜବାବରେ ଲେଖିଛନ୍ତି ଯେ ଅରବିନ୍ଦ କେଜରିୱାଲ କିଛି ଲୋକଙ୍କୁ ଲାଭ ଦେବା ନିମନ୍ତେ ଅବକାରୀ ନୀତି ୨୦୨୧-୨୨ ତିଆରି କରିବା ଷଡ଼ଯନ୍ତ୍ରରେ ସାମିଲ ଥିଲେ ଓ ଏହି ନୀତିରେ ଲାଭ ଦେବା ବଦଳେ ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚମାଗିବାରେ ମଧ୍ୟ ସାମିଲ ଥିଲେ।
ଇଡିଙ୍କ ଅନୁସାରେ ଅରବିନ୍ଦ କେଜରିୱାଲ ଏହି ପଇସାକୁ ଆମ ଆଦମୀ ପାର୍ଟି ନିମନ୍ତୋ ଗୋଆ ନିର୍ବାଚନ ଅଭିଯାନରେ ଖର୍ଚ୍ଚ କରିଛନ୍ତି। ଏହା ସହ ତଦନ୍ତକାରୀ ସଂସ୍ଥାନ ତାଙ୍କ ଜବାବରେ ଏହା ମଧ୍ୟ କହିଛନ୍ତି ଯେ ଅରବିନ୍ଦ କେଜରିୱାଲ ସିଧାଶଳଖ ଅବକାରୀ ଶୁଳ୍କ ନୀତି ୨୦୨୧-୨୨ତିଆରିରେ ସାମିଲ ଥିଲେ। ଇଡି ଦାଖଲ କରିଥିବା ତାଙ୍କ ଜବାବରେ କହିଛନ୍ତି ଯେ ସାଉଥ ଗ୍ରୁପକୁ ଦିଆଯାଇଥିବା ଲାଭକୁ ନଜରରେ ରଖି ଏହି ମଦ ନୀତିର ଚିଠାପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା। ଏହାକୁ ବିଜୟ ନାୟର, ମନିଷ ସିସୋଦିଆ ଓ ସାଉଥ ଗ୍ରୁପ ସଦସ୍ୟ ପ୍ରତିନିଧିଙ୍କ ମିଳିତ ଗଠନ କରିଥିଲେ। କେଜରିୱାଲ ନୀତି ନିର୍ମାଣ ଓ କାର୍ଯ୍ୟାନ୍ୱୟନରେ ଲାଭ ବଦଳେ ସାଉଥ ଗ୍ରୁପ ଠାରୁ ଲାଞ୍ଚ ଦାବି କରିଥିଲେ।