ନୂଆଦିଲ୍ଲୀ ୧୮/୦୮: ସଧାରଣ ଲୋକଙ୍କୁ ବଡ଼ ଆଶ୍ବସ୍ତି ମିଳିବାକୁ ଯାଉଛି। କେନ୍ଦ୍ରର ମୋଦୀ ସରକାର ବୁଧବାର ପାମ୍ ଅଏଲ୍ ମିଶନ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଦେଶରେ ଖାଇବା ତେଲର ଉପଲବ୍ଧତା ବଢ଼ାଇବାକୁ ୧୧,୦୪୦ କୋଟି ଟଙ୍କାର ପାମ ଅଏଲ୍ ମିଶନକୁ ଗ୍ରୀନ୍ ସିଗନାଲ୍ ମିଳିଛି । ପାମ ଅଏଲ୍ ଗୋଟିଏ ପ୍ରକାର ଖାଇବା ତେଲ୍। ଏହାକୁ ବିଶେଷ ଭାବେ ହୋଟେଲ, ରେଷ୍ଟୁରାଣ୍ଟରେ ଖାଇବା ତେଲ ଭାବେ ବ୍ୟବହୃତ କରାଯାଏ ।
ଭାରତରେ ଖାଇବା ତେଲର ଅଭାବ ଏବଂ ଦରଦାମକୁ ନିୟନ୍ତ୍ରଣରେ ଆଣିବା ପାଇଁ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବୁଧବାର ଏକ ନୂଆ ଯୋଜନା ରାଷ୍ଟ୍ରୀୟ ଖାଦ୍ୟ ତେଲ ମିଶନ-ଅଏଲ୍ ପାମ୍ର ଘୋଷଣା କରିଛି। ଏହା ଦ୍ବାରା ଭାରତରେ ପାମ ତେଲ ଆମଦାନୀ କମିବ ଏବଂ କୃଷକମାନଙ୍କ ଠାରୁ ଆମଦାନୀ ବଢ଼ିବ। ଏହା ସହ ଅଏଲ୍ ଇଣ୍ଡଷ୍ଟ୍ରିକୁ ଫାଇଦା ମିଳିବ। ପାମ୍ ଅଏଲ ସମ୍ବନ୍ଧିତ ଇଣ୍ଡଷ୍ଟ୍ରି କଲେ ୫ କୋଟି ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେବାକୁ ସରକାର ମଧ୍ୟ ଘୋଷଣା କରିଛନ୍ତି ।
ଏହାକୁ ନେଇ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଟ୍ବିଟ୍ କରି ଲେଖିଛନ୍ତି, ‘ସରକାର ନ୍ୟାସନାଲ୍ ମିଶନ ଅନ୍ ଅଏଲ୍ ସିଡସ୍ ଏବଂ ଅଏଲ୍ ପାମ୍ ଜରିଆରେ ୧୧ ହଜାର କୋଟିରୁ ଅଧିକ ଟଙ୍କାର ନିବେଶ କରିବେ। ଏହା ଦ୍ବାରା କୃଷକଙ୍କୁ ଉତ୍କୃଷ୍ଟ ମଞ୍ଜି ଏବଂ ଟେକନିକ୍ ସହିତ ଯଥାସମ୍ଭବ ସହଯୋଗ ମିଳିବ।’
ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଆଜି ଦୁଇଟି ବଡ଼ ନିଷ୍ପତ୍ତି ହୋଇଛି। ପାମ ତେଲର କଞ୍ଚାମାଲ୍ ଦାମ୍ କେନ୍ଦ୍ର ସରକାର ଧାର୍ଯ୍ୟ କରିବେ। ଏହା ସହ ଯଦି ବଜାରରେ ଏହାର ମୂଲ୍ୟରେ ହ୍ରାସ ହୁଏ ତେବେ ଚାଷୀଙ୍କୁ ହେବାକୁ ଥିବା କ୍ଷତି ସରକାର ଡିବିଟି ଜରିଆରେ ଭରଣା କରିବେ। ଏହା ବ୍ୟତୀତ ଚାଷ କରିବା ପାଇଁ ବ୍ୟବହୃତ ସାମଗ୍ରୀ ପାଇଁ ପୂର୍ବରୁ ଯେଉଁ ରାଶି ଦିଆଯାଉଥିଲା ଏଥିରେ ମଧ୍ୟ ବୃଦ୍ଧି କରାଯାଇଛି ।