On-lineରେ ନିଲାମ ହେବ ପଳାତକ ନିରବ ମୋଦିଙ୍କ Rolls-Royce Ghost କାର ସମେତ ଅନେକ ସୌଖିନ ସାମଗ୍ରୀ
21/02/2020 at 7:27 PM

ମୁମ୍ବାଇ ୨୧।୨: ଭାରତ ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଳାତକ ବ୍ୟବସାୟୀ ନିରବ ମୋଦିଙ୍କ ଜବତ ସମ୍ପତ୍ତି ବିକ୍ରି କରିବେ। ଏଥି ଲାଗି ଏବେ ଯୋଜନା ପ୍ରସ୍ତୁତ କରାଯାଉଥିବା ବେଳେ ଖୁବ ଶୀଘ୍ର ଏ ସବୁର ନିଲାମ କରାଯିବ। ଏହି ନିଲାମ ସମ୍ଭବତଃ ଫେବୃଆରୀ ୨୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୩ ଓ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ନିଲାମ ଅନ-ଲାଇନରେ ହେବାକୁ ଯାଉଥିବା ବେଳେ ଏଥିରେ ନିରବ ମୋଦିଙ୍କ ବିଳାଶମୟ ରୋଲସ ରୟସ ଘୋଷ୍ଟ କାର ବି ସାମିଲ ହେଉଥିବା ଜଣାପଡିଛି।

ନିରବ ମୋଦିଙ୍କ ଜବତ ହୋଇଥିବା ୧୧୨ଟି ସାମଗ୍ରୀକୁ ନିଲାମ ଲାଗି ସୂଚୀଭୁକ୍ତ କରାଯାଇଛି। ଯେଉଁଥିରେ ସମକାଳୀନ ଭାରତୀୟ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ମୂଲ୍ୟବାନ ପେଣ୍ଟିଂ ଓ କଳାକୃତି ସାଙ୍ଗକୁ ବିଳାଶମୟ ଘଣ୍ଟା, ହ୍ୟାଣ୍ଡ ବ୍ୟାଗ୍ ଓ କାର ବି ରହିଛି। ଯେଉଁ ସବୁ କଳାକୃତି ନିଲାମ କରାଯିବ ସେଥିରେ ଅମୃତା ସେରଗିଲଙ୍କ ‘ଭୟେଜ୍ ୱିଥ୍ ଲେମନ’ ମଧ୍ୟ ରହିବ। ଏହି କଳାକୃତିକୁ ପ୍ରଥମ ଥର ଲୋକେ ନିଲାମରେ ଦେଖିବାକୁ ପାଇବେ। ଯାହାର ବଜାର ଦର ଏବେ ଆନୁମାନିକ ୧୨ରୁ ୧୮ କୋଟି ଟଙ୍କା ଆକଳନ କରାଯାଉଛି।

ବିକ୍ରିର ଅନ୍ୟ ଆକର୍ଷଣ ମଧ୍ୟରେ ଏମ.ଏଫ. ହୁସେନଙ୍କ ‘ମହା ଭାରତ-୧୨’ ମଧ୍ୟ ନିଲାମ ଲାଗି ରଖାଯିବ। ଏହାର ମଧ୍ୟ ଆନୁମାନିକ ମୂଲ୍ୟ ସେହି ୧୨ରୁ ୧୮ କୋଟି ଟଙ୍କା ଆକଳନ କରାଯାଉଛି। ତେବେ ଏହି ନିଲାମରେ ଲୋକଙ୍କୁ ସବୁଠୁ ଅଧିକ ଯାହା ଆକର୍ଷିତ କରିବ ତାହା ହେଉଛି ରୋଲସ ରୟସ ଘୋଷ୍ଟ କାର। ଏହାର ବଜାର ମୂଲ୍ୟ ୭୫ରୁ ୯୫ ଲକ୍ଷ ଟଙ୍କା ଆକଳନ କରାଯାଉଛି। ଏହି ନିଲାମ saffronart.com ରେ କରାଯିବ।