ଗୃହମନ୍ତ୍ରାଳୟଙ୍କୁ ED ରିପୋର୍ଟ: ଆମେରିକା, କାନାଡ଼ା ଓ ଆରବ ଦେଶମାନଙ୍କରୁ AAPକୁ ମିଳିଛି କୋଟିକୋଟି ଟଙ୍କାର ଅବୈଧ ପାଣ୍ଠି

Published By : Prameya-News7 Bureau | May 20, 2024 IST

ନୂଆଦିଲ୍ଲୀ ୨୦।୫: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆମ ଆଦମୀ ପାର୍ଟି( ଆପ)କୁ ମିଳୁଥିବା ବିଦେଶୀ ପାଣ୍ଠି ଉପରୁ ପର୍ଦ୍ଦା ହଟାଇଛନ୍ତି। ସୂଚନା ଅନୁସାରେ ଇଡି କେନ୍ଦ୍ର ଗୃହମନ୍ତ୍ରାଳୟଙ୍କୁ କହିଛନ୍ତି ଯେ ଆପ୍‌ କୁ ୨୦୧୪-୨୦୨୨ ମଧ୍ୟରେ ୭.୦୮କୋଟି ଟଙ୍କାର ବିଦେଶୀ ପାଣ୍ଠି ପ୍ରାପ୍ତ ହୋଇଛି। ତେବେ ଏହି ବିଦେଶୀ ପାଣ୍ଠି ହାସଲ କରିବାରେ ପାର୍ଟି ଏଫସିଆରଏ, ଆରପିଏ ଓ ଆଇପିସିର ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି। 

ଏହି ପାଣ୍ଠି ହାସଲ କରିବାକୁ ବିଦେଶୀ ଦାତାଙ୍କ ପରିଚୟ ଓ ଜାତୀୟତା ସହିତ ଅନ୍ୟ ତଥ୍ୟ ମଧ୍ୟ ଲୁଚାଇଥିବାର ଇଡି ରିପୋର୍ଟରେ ଅଭିଯୋଗ କରିଛି। ଇଡି କହିଛି ଯେ ଆପ୍ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ଅଷ୍ଟ୍ରେଲିୟା, ନ୍ୟୁଜିଲ୍ୟାଣ୍ଡ, ସାଉଦୀ ଆରବ, ୟୁଏଇ, କ୍ୱେତ, ଓମାନ ସମେତ ଅନ୍ୟ ଦେଶଙ୍କ ଅନେକ ଦାତାଙ୍କଠାରୁ ଧନ ପ୍ରାପ୍ତ କରିଛି। ଏହି ପାଣ୍ଠି ଟ୍ରାନ୍ସଫର କରିବା ପାଇଁ ବିଭିନ୍ନ ଦାତାମାନେ ଗୋଟିଏ ପାସପୋର୍ଟ ନମ୍ବର, କ୍ରେଡିଟ କାର୍ଡ, ଇ-ମେଲ ଆଇଡି ଓ ମୋବାଇଲ ନମ୍ବର ବ୍ୟବହାର କରିଛନ୍ତି। 

ଇଡି ତାଙ୍କ ଯାଞ୍ଚରେ ଆପ୍ ଓ ତାର ନେତାଙ୍କ ଦ୍ୱାରା ବିଦେଶୀ ପାଣ୍ଠି ଯୋଗାଡ ପାଇଁ ଅନିୟମିତତାର ଅନେକ ମାମଲା ଉଲ୍ଲେଖ କରିଛି। ଏଥିରେ ପାର୍ଟି ବିଧାୟକ ଦୁର୍ଗେଶ ପାଠକ ସମେତ ଅନେକ ନେତାଙ୍କ ଉପରେ ୨୦୧୬ରେ କାନାଡାରେ ଫଣ୍ଡ ରାଇଜିଂ ପ୍ରୋଗ୍ରାମରେ ସଂଗ୍ରହ କରିଥିବା ଅର୍ଥର ବ୍ୟକ୍ତିଗତ ଲାଭ ପାଇଁ ଦୂରୁପୋଯଗ କରିଥିବା ଅଭିଯୋଗ ମଧ୍ୟ କରିଛି। ଏପର୍ଯ୍ୟନ୍ତ ଯାଞ୍ଚରୁ ଯାହା ଜଣାପଡିଛି ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡାରେ ଫଣ୍ଡ ରାଇଜିଂ କ୍ୟାମ୍ପେନ ମାଧ୍ୟମରେ ନା କେବଳ ଅର୍ଥ ସଂଗ୍ରହ କରାଯାଇଥିଲା ଏହାକୁ ଏଫସିଆରଏ କଟକଣାରୁ ମୁକ୍ତ ରଖିବା ପାଇଁ ଆପ ବୁକ୍ ଅଫ ଆକାଉଣ୍ଟସ୍‌ରେ ବାସ୍ତବିକ୍ ଦାତାଙ୍କ ନାମ ମଧ୍ୟ ଲୁଚାଇଛି। 

ଇଡି ତାଙ୍କ ଯାଞ୍ଚ ସମ୍ପର୍କିତ ସମସ୍ତ ସୂଚନା କେନ୍ଦ୍ର ଗୃହମନ୍ତ୍ରାଳୟଙ୍କୁ ଦାନକର୍ତ୍ତାଙ୍କ ବିବରଣୀ ସହ ପ୍ରଦାନ କରିଛି। ଯେଉଁଥିରେ ପାଣ୍ଠି ଦାତାଙ୍କ ନାମ, ଦାନକର୍ତ୍ତାଙ୍କ ଦେଶ, ପାସପୋର୍ଟ ନମ୍ବର, ଦାନ କରାଯାଇଥିବା ରାଶି, ଦାନର ଉପାୟ ଓ ପ୍ରାପ୍ତକର୍ତ୍ତାଙ୍କ ବ୍ୟାଙ୍କ ଖାତା ନମ୍ବର, ବିଲିଙ୍ଗ ନାମ, ବିଲିଂ ଠିକଣା, ବିଲିଂ ଟେଲିଫୋନ ନମ୍ବର, ବିଲିଂ ଇ-ମେଲ, ଦାନର ସମୟ, ତାରିଖ ଓ ଗେଟୱେ ଆଦି ଗୃହମନ୍ତ୍ରାଳୟଙ୍କୁ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.