ସ୍କାଏ କିଙ୍ଗ ଟ୍ରାଭେଲ୍ସ ଏଜେନ୍ସିକୁ ଚୂନ ଲଗାଇଛନ୍ତି ଆକାଶ: ଆର୍ଥିକ କାରବାରର ତଦନ୍ତ କରୁଛି ଇଡି

Published By : Prameya-News7 Bureau | December 09, 2020 IST

ଭୁବନେଶ୍ୱର ୦୯/୧୨ : ଚାର୍ଟର ପ୍ଲେନରେ ଉଡ଼ି ସ୍କାଏ କିଙ୍ଗ ଟ୍ରାଭେଲ୍ସ ଏଜେନ୍ସିକୁ ଲକ୍ଷାଧିକ ଟଙ୍କାର ଚୂନ ଲଗାଇବା ମାମଲାରେ ଆକାଶଙ୍କୁ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ । ଏନେଇ ପୋଲିସ ପକ୍ଷରୁ ଏସଡିଜେଏମ୍‌ କୋର୍ଟରେ ଦସ୍ତାବିଜ୍‌ ଦାଖଲ କରାଯାଇଛି । ସେପଟେ ଆକାଶ, ଅଭୟକାନ୍ତ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ଆର୍ଥିକ କାରବାରର ତଦନ୍ତ ଆରମ୍ଭ କରିଛି ଇଡି । ଅର୍ଥ ଦେଣନେଣ ହୋଇଥିବା ବିଭିନ୍ନ ବ୍ୟାଙ୍କକୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ ।

ଆକାଶ ପାଠକଙ୍କୁ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ । ରିମାଣ୍ଡରେ ନେବାକୁ ଏସଡିଜେଏମ୍‌ କୋର୍ଟଙ୍କୁ ଅବଗତ କରିଛି ପୋଲିସ । ଆକାଶଙ୍କ ବିରୋଧରେ ଖାଳବେଳ ଥାନାରେ ଠକେଇ ମାମଲା ଥିବା ନେଇ ମଧ୍ୟ କୋର୍ଟଙ୍କୁ ଜଣାଇଛି ।ଚାର୍ଟର ପ୍ଲେନରେ ଉଡ଼ି ସ୍କାଏ କିଙ୍ଗ ଟ୍ରାଭେଲ୍ସ ଏଜେନ୍ସିକୁ ଲକ୍ଷାଧିକ ଟଙ୍କାର ଚୂନ ଲଗାଇବା ମାମଲାର ତଦନ୍ତ ସହ ଆକାଶଙ୍କ ଜାଲି ଦସ୍ତଖତର ମଧ୍ୟ ତଦନ୍ତ ହେବ । ଆକାଶଙ୍କୁ ରିମାଣ୍ଡରେ ଆଣିବା ପରେ ତାଙ୍କର ଦସ୍ତଖତକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ।

ସେପଟେ ଆକାଶ, ଅଭୟକାନ୍ତ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ଆର୍ଥିକ କାରବାରର ତଦନ୍ତ ଆରମ୍ଭ କରିଛି ଇଡି । ଅର୍ଥ ଦେଣନେଣ ହୋଇଥିବା ବିଭିନ୍ନ ବ୍ୟାଙ୍କକୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକ, ଟାଟା ନିଯୁକ୍ତି ଠକେଇରେ ଗିରଫ ହୋଇଥିବା ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ହୋଇଛି । ଏସବୁ ଟଙ୍କା କେଉଁଠୁ ଆସିଲା, କିଭିଳ ବିପୂଳ ଅର୍ଥର ଅଧିକାରୀ ହୋଇଛନ୍ତି ପାଠକ ବାପା-ପୁଅ ତା’ର ହିସାବ ମାଗିବ ଇଡି ।

ସେହିଭଳି ପାଠକ ପରିବାର ସହ ସମ୍ପର୍କ ଗଡ଼ିଥିବା ଗୋପାଳପୁର ବିଧାୟକଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା କୋଟି କୋଟି ଟଙ୍କାର ମଧ୍ୟ ଖୋଳତାଡ଼ କରିବ ପ୍ରବର୍ତ୍ତନ ନିର୍ଦେଶାଳୟ । ସେହିଭଳି ଆକାଶ ପାଠକଙ୍କ ପିଏ ଡେଭିଡ୍‌ ପିଟରଙ୍କ ସୂଚନା ଆଧାରରେ ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କ ଆର୍ଥିକ କାରବାରରେ ସଂପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିବ ଭିଜିଲାନ୍ସ । ଏନେଇ ସଂପୃକ୍ତ ବ୍ୟକ୍ତିମାନଙ୍କୁ ହାଜର ପାଇଁ  ନୋଟିସ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.