ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା: ଟିଏମସି ନେତାଙ୍କ ବାସଭବନରେ ଇଡିର ଚଢ଼ଉ
20/01/2023 at 2:37 PM

ନୂଆଦିଲ୍ଳୀ, ୨୦/୦୧: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲରେ ପୁଣି ଇଡିର ତନାଘନା। ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିଏମସି ନେତା କୁନ୍ତଳ ଘୋଷଙ୍କ ହୁଗୁଳି ସ୍ଥିତ ବାସଭବନରେ ଚଢ଼ଉ କରିଛି। ପୂର୍ବରୁ ଏହି ମାମଲାରେ ଇଡି ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିବା ସହ ତାଙ୍କଠାରୁ ବିପୁଳ ପରିମାଣ ନଗଦ ଟଙ୍କା ଜବତ କରିଥିଲା।
ସୂଚନା ଅନୁଯାୟୀ, ମାମଲାରେ ଜଡ଼ିତ ପଶ୍ଚିମବଙ୍ଗ ବେସରକାରୀ କଲେଜ୍ ଏବଂ ଶିକ୍ଷାନୁଷ୍ଠାନ ସଭାପତି ତାପସ ମଣ୍ଡଳ ସିବିଆଇର ପଚାରଉଚାର ସମୟରେ କୁନ୍ତଳ ଘୋଷଙ୍କ ନାଁ ସାମ୍ନାକୁ ଆସିଥିଲା। ତାପସ କହିଥିଲେ ଚାକିରି କରାଇଦେବା ପାଇଁ କୁନ୍ତଳ ଘୋଷ ଆଶାୟୀଙ୍କ ଠାରୁ ୧୯.୫ କୋଟି ଟଙ୍କା ନେଇଛନ୍ତି। ଏବେ ଇଡି ଘୋଷଙ୍କ ହୁଗୁଳି ସ୍ଥିତ ବାସଭବନରେ ରେଡ୍ କରୁଛି।
୨୦୧୪ ରୁ ୨୦୨୧ ମଧ୍ୟରେ ଶିକ୍ଷକ ନିଯୁକ୍ତିରେ ଟିଏମସି ନେତାଙ୍କଦ୍ବାରା ପ୍ରାୟ ୧୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ରାଜ୍ୟର ବିଭିନ୍ନ ସ୍କୁଲରେ ଶିକ୍ଷକ ଏବଂ ଷ୍ଟାଫ୍ ଭାବରେ ନିଯୁକ୍ତ ଦେବା ବଦଳରେ ଆଶାୟୀଙ୍କ ଠାରୁ ୧୦୦ କୋଟିରୁ ଅଧିକ ଟଙ୍କା ଲାଞ୍ଚ ନେଇଥିବା ନେଇ ଅଭିଯୋଗ ହୋଇଥିଲା।