ଅଡୁଆରେ ମନ୍ତ୍ରୀ ନଓ୍ବାବ ମଲିକ : ଓ୍ବାକଫ୍‌ ବୋର୍ଡ ଜମି ଜାଲିଆତି ମାମଲାରେ ୭ଟି ସ୍ଥାନରେ EDର ଚଢାଉ, ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଜବତ

Published By : Prameya-News7 Bureau | November 11, 2021 IST

ପୁଣେ ୧୧/୧୧ : ପୁଣି ଅଡୁଆରେ ମହାରାଷ୍ଟ୍ର ସରକାରର ମନ୍ତ୍ରୀ ତଥା ଏନ୍‌ସିପି ନେତା ନଓ୍ବାବ ମଲିକ । ମହାରାଷ୍ଟ୍ର ଓ୍ବାକଫ୍‌ ବୋର୍ଡ ଜମି ଜାଲିଆତି ମାମଲାରେ ଏବେ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦେଶାଳୟ ବା ED । ଗୁରୁବାର ପୁଣେର ୭ଟି ସ୍ଥାନରେ ମାରାଥନ୍‌ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଚଢାଉ ବେଳେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ନେଇ ସୂଚନା ମିଳିଛି । ଚଢାଉ ବେଳେ, ଓ୍ବାକଫ୍‌ ବୋର୍ଡ ଜମିକୁ ବେଆଇନ ବିକ୍ରି କରାଯିବା ଏବଂ ଏଥିରେ ବ୍ୟାପକ ମାତ୍ରା​‌ରେ ହେରଫେର କରାଯିବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ବଡ କଥା ହେଉଛି ଓ୍ବାକଫ୍‌ ବୋର୍ଡ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନଓ୍ବାବ ମଲିକଙ୍କ ମନ୍ତ୍ରାଳୟ ଅଧିନରେ ହିଁ ଯାଉଛି ।

ମନ୍ତ୍ରୀଙ୍କ ବିଭାଗରେ ଏଭଳି ବ୍ୟାପକ ହେରଫେର ନେଇ ସୂଚନା ମିଳିବା ପରେ ଇଡି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ED ପକ୍ଷରୁ ଏମିତି ସମୟରେ ରେଡ୍‌ କରାଯାଇଛି ଯେତେବେଳେ କି ଏହି ବିଭାଗର ମନ୍ତ୍ରୀ ନିଜେ କ୍ରୁଜ୍‌ ଡ୍ରଗ୍ସ ଲିଙ୍କ ମାମଲାରେ, ଏନ୍‌ସିବି ଏବଂ ଯାଞ୍ଚ ଅଧିକାରୀ ସମୀର ଓ୍ବାଙ୍ଖେଡେଙ୍କୁ ଟାର୍ଗେଟ କରିଆସୁଛନ୍ତି । ଏମିତିକି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ବିରୋଧରେ ମଧ୍ୟ ଅନେକ ସଙ୍ଗୀନ ଅଭିଯୋଗ ଆଣିଥିଲେ ।

ଏହା ପୂର୍ବରୁ ନଓ୍ବାବ ମଲିକଙ୍କ ଜ୍ବାଇଁ ସମୀର ଖାନ, ଦେବେନ୍ଦ୍ର ଫଡଣବୀସଙ୍କ ବିରୁଦ୍ଧରେ ମାନହାନୀ ନୋଟିସ ଜାରି କରିଛନ୍ତି । ସମୀରଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା ବୋଲି କହିଥିଲେ ଦେବେନ୍ଦ୍ର ଫଡନବୀସ । ଏହାକୁ ରୋକ୍‌ଠୋକ୍‌ ବିରୋଧ କରିବା ସହିତ ଘରୁ ଡ୍ରଗ୍ସ ମିଳିନଥିବା ନେଇ କହିଥିଲେ । ମାନହାନୀ କରିଥିବାରୁ ଫଡଦବୀସଙ୍କୁ କୋର୍ଟ ନୋଟିସ ପଠାଇବା ସହିତ ୫ କୋଟି ଟଙ୍କାର ଜରିମାନା ଦେବା ପାଇଁ ମଧ୍ୟ କହିଥିଲେ ।

ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଅଭିଯୋଗ କରିଥିଲେ ଯେ, ନଓ୍ବାବ ମଲିକଙ୍କ ପରିବାର ଲୋକେ ଅଣ୍ଡରଓ୍ବାର୍ଲ୍ଡ ଲୋକଙ୍କ ଠାରୁ ବେଆଇନ ଭାବେ ଜମି କିଣିଥିଲେ । ଏହା ମଧ୍ୟ କହିଥିଲେ ଯେ, ଅଣ୍ଡରଓ୍ବାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ଠାରୁ ଶସ୍ତାରେ ଜମି କିଣିଥିଲେ ନଓ୍ବାବ ମଲିକଙ୍କ ଜ୍ବାଇଁ ସମୀର ଖାନ । ଏହାର ଜବାବ​‌​‌ରେ ପ୍ରେସ କନଫରେନ୍ସ କରି ଦେବେନ୍ଦ୍ର ଫଡନବୀସଙ୍କ ଉପରେ ବର୍ଷିଥିଲେ ନଓ୍ବାବ ମଲିକ । କହିଥିଲେ, ଫଡନବୀସଙ୍କ ଆର୍ଶୀବାଦରେ ମହାରାଷ୍ଟ୍ରରେ ଜାଲ ନୋଟ କାରବାର ଚାଲିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.