‘ସିସୋଦିଆଙ୍କ ଘରେ ହୋଇଥିବା ବୈଠକରେ ଉପସ୍ଥିତ ଥିଲେ ରାଘବ ଚଡ୍ଡା’: ଚାର୍ଜସିଟ୍ରେ ଇଡିର ଦାବି
2/05/2023 at 4:23 PM

ନୂଆଦିଲ୍ଲୀ, ୦୨/୦୫: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଆମ୍ ଆଦମୀ ପାର୍ଟୀ ପାଇଁ ଅଡ଼ୁଆ ତୁଟିବାର ନାଁ ନେଉନାହିଁ। ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜେଲ୍ ଯିବାକୁ ପଡ଼ିଛି। ଏପଟେ ଏବେ ଏହି ଅବକାରୀ ନୀତି ମାମଲାରେ ଇଡି ତରଫରୁ ଦାଖଲ ହୋଇଛି ସପ୍ଲିମେଣ୍ଟ୍ରି ଚାର୍ଜସିଟ୍। ଏହି ଚାର୍ଜସିଟ୍ରେ ଅନେକ ବଡ଼ ଖୁଲାସା କରିଛି। ଏହି ଚାର୍ଜସିଟ୍ରେ ଇଡି ଏବେ ଆପ୍ ସାଂସଦ ରାଘବ ଚଡ୍ଡାଙ୍କ ନାଁ ରହିଛି।
ଦିଲ୍ଲୀ ଅବକାରୀ ନୀତି ମାମଲାରେ ଉଠିଲା ଆପ ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ନାମ । ଇଡିର ଚାର୍ଜସିଟ୍ ଅନୁଯାୟୀ ମନୀଷ ସିସୋଦିଆଙ୍କ ପୂର୍ବତନ ସେକ୍ରେଟେରୀ ସି ଅରବିନ୍ଦ ନିଜ ବୟାନରେ ରାଘବ ଚଡ୍ଡାଙ୍କ ନାଁ ନେଇଛନ୍ତି। ଚାର୍ଜସିଟ୍ରେ ରହିଛି ରାଘବ ଚଡ୍ଡାଙ୍କ ନାଁ, ଅବଶ୍ୟ ଅଭିଯୁକ୍ତ ଭାବରେ ତାଙ୍କ ନାମ ଉଲ୍ଲେଖ ହୋଇନାହିଁ। ଚାର୍ଜସିଟ୍ ଅନୁଯାୟୀ, ସି ଅରବିନ୍ଦ ନିଜ ବୟାନରେ କହିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନରେ ଏକ ବୈଠକ ହୋଇଥିଲା। ଯେଉଁଥିରେ ରାଘବ ଚଡ୍ଡା, ପଞ୍ଜାବର ଅବକାରୀ କମିଶନର, ଅବକାରୀ ଅଧିକାରୀ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ବିଜୟ ନାୟର ଏବଂ ଅନ୍ୟ ପଞ୍ଜାବ ଅବକାରୀ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଇଡି ଚାର୍ଜସିଟ୍ରେ, ବିଜୟ ନାୟର ଆମ ଆଦମୀ ପାର୍ଟୀ ପାଇଁ ଜରୁରୀ ସଦସ୍ୟ ଭାବରେ ଥିଲେ ଏବଂ ଅବକାରୀ ନୀତିକୁ ପରିଚାଳନା କରୁଥିଲେ। ଇଡି କହିଛି ବିଜୟ ନାୟର ଅରୁଣ ପିଲ୍ଲଇ, ଅଭିଷେକ ବୋଇନପଲ୍ଳୀ ଏବଂ ବୁଚୀ ବାବୁଙ୍କ ସହ ଜୁମ୍ କଲ୍ କରିଥିଲେ। ଇଡିର ଚାର୍ଜସିଟ୍ ଆହୁରି କୁହାଯାଇଛି ଯେ ଦିଲ୍ଲୀର ନୂଆ ଅବକାରୀ ନୀତି ଅରବିନ୍ଦ କେଜ୍ରିଓ୍ବାଲଙ୍କ ଚିନ୍ତାଧାରା। ଏହା ସହ ଚାର୍ଜସିଟ୍ରେ ତେଲେଙ୍ଗାନାର ସିଏମ କେସିଆରଙ୍କ ଝିଅ କବିତାଙ୍କ ନାଁ ମଧ୍ୟ ଉଲ୍ଲେଖ ରହିଛି। ଚାର୍ଜସିଟ୍ରେ ଅଭିଯୋଗ ହୋଇଛି ଯେ କବିତା ଅବକାରୀ ନୀତି ପ୍ରସ୍ତୁତ କରିବା ଏବଂ ଏହାକୁ ଲାଗୁ ହେବା ପରେ ବିଜୟ ନାୟରଙ୍କ ସହ ଅନେକ ଥର ମିଟିଂ କରିଥିଲେ।