ପୁଣି ବଢ଼ିଲା ବାଇଜୁସ୍‌ ପାଇଁ ଅଡ଼ୁଆ, ୯୦୦୦ କୋଟିର ଘୋଟାଲା ସାମ୍‌ନାକୁ ଆଣିଲା ଇଡି

Published By : Prameya-News7 Bureau | November 21, 2023 IST

ନୂଆଦିଲ୍ଲୀ: ବାଇଜୁସ୍‌ ପାଇଁ ପୁଣି ବଢ଼ିଲା ଅଡ଼ୁଆ। ଅନଲାଇନ୍‌ ଶିକ୍ଷାଦାନ କରୁଥିବା କମ୍ପାନି ବାଇଜୁସ୍‌ରେ ବଡ଼ ଘୋଟାଲା ହୋଇଥିବା ଜାଣିବାକୁ ପାଇଛି ଇଡି। ପ୍ରକୃତରେ ଚଳିତ ବର୍ଷ ଆରମ୍ଭରେ ଇଡି ବାଇଜୁସ୍‌ର ଅନେକ ଅଫିସ୍‌ ଏବଂ ଅନ୍ୟାନ୍ୟ ପରିସରରେ ରେଡ୍‌ କରିଥିଲା। ଏହା ସହ ଇଡି, କମ୍ପାନି ସହ ଜଡ଼ିତ ଅନେକ ଦସ୍ତାବିଜ୍‌ ଏବଂ ଡିଜିଟାଲ ଡାଟାକୁ ମଧ୍ୟ ଜବତ କରିଥିଲା।

ଯାହାର ଯାଞ୍ଚ ପରେ ଜଣାପଡ଼ିଛି ଯେ, ବାଇଜୁସ୍‌ ବିଦେଶୀ ମୁଦ୍ରା ବିନିମୟ ଅଧିନିୟମ (ଫେମା)ର ଅନେକ ନିୟମ ଉଲ୍ଲଘଂନ କରିଛି। ବାଇଜୁସ ପ୍ରାୟ ୯୦୦୦ କୋଟିର ଘୋଟାଲା କରିଛି। ପ୍ରକୃ୍ତରେ ଷ୍ଟାର୍ଟଅପ୍‌ ସେକ୍ଟରର କମ୍ପାନି ହେବା କାରଣରୁ ବାଇଜୁସ୍‌କୁ ବଡ଼ ଆକାରରେ ବିଦେଶୀ ଫଣ୍ଡିଂ ମିଳିଥିଲା ।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟରୁ Byjusକୁ ଝଟକା, ଲେଣ୍ଡର୍ସ ଜିତିଲେ ‘ବାୟଜୁସ୍ ଆଲଫା’ର ନିୟନ୍ତ୍ରଣ ମୋକଦ୍ଦମା

ରେଡ୍‌ରେ ଇଡି ଏହା ମଧ୍ୟ ଜାଣିବାକୁ ପାଇଛି ଯେ, ୨୦୧୧ରୁ ୨୦୨୩ ମଧ୍ୟରେ କମ୍ପାନିକୁ ପ୍ରାୟ ୨୮ ହଜାର କୋଟି ଟଙ୍କା ପ୍ରତ୍ୟକ୍ଷ ବିଦେଶୀ ନିବେଶ (FDI) ମିଳିଛି। ଏହି ସମୟରେ କମ୍ପାନି ବିଦେଶରୁ ସିଧାସଳଖ ନିବେଶ ବାବଦରେ ପ୍ରାୟ ୯,୭୪୫ କୋଟି ଟଙ୍କା ମଳିଥିଲା । ଆଉ କମ୍ପାନି ବିଦେଶକୁ ଯେଉଁ ଅର୍ଥ ପଠାଇଛି ଏଥିରେ ପ୍ରାୟ ୯୪୪ କୋଟି ଟଙ୍କା କେବଳ ବିଜ୍ଞାପନ ଏବଂ ମାର୍କେଟିଙ୍ଗ ପାଇଁ ଖର୍ଚ୍ଚ ହୋଇଛି।

ତେବେ ଇଡି କହିଛି ଯେ, କମ୍ପାନି ଏହାର ଅଡିଟ୍‌ ଠିକ୍‌ ଭାବରେ ନକରିଥିବାରୁ ଯାଞ୍ଚରେ ଅନେକ ଅସୁବିଧା ହେଉଛି। ଏଥିପାଇଁ ଇଡି କମ୍ପାନିର ବ୍ୟାଙ୍କ୍‌ ତଥ୍ୟର ଯାଞ୍ଚ କରୁଛି। ଇଡି ଅନେକ ବ୍ୟକ୍ତିଙ୍କ ଠାରୁ ମିଳିଥିବା ବ୍ୟକ୍ତିଗତ ଅଭିଯୋଗ ଆଧାରରେ ବାଇଜୁସ ବିରୋଧରେ ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ସମୟରେ ଇଡି କମ୍ପାନିର ସଂସ୍ଥାପକ ଏବଂ ସିଇଓ ରବିନ୍ଦ୍ରନ ବାଇଜୁଙ୍କୁ ଅନେକ ସମନ ମଧ୍ୟ ଜାରି କରିଥିଲା। କିନ୍ତୁ ସେ କେବେବି ଉପସ୍ଥିତ ହୋଇନଥିଲେ। ସେପଟେ କମ୍ପାନିର କହିବା ଅନୁଯାୟୀ ତାକୁ ଏପର୍ଯ୍ୟନ୍ତ ଇଡିରୁ କୌଣସି ଅଫିସିଆଲ ବିଜ୍ଞପ୍ତି ମିଳିନାହିଁ।

ଆହୁରି ପଢ଼ନ୍ତୁ: ବାଇଜୁସ୍‌ରୁ ଇସ୍ତଫା ଦେଲେ ଅଜୟ ଗୋଏଲ, ପୁଣି ଫେରିଲେ ବେଦାନ୍ତକୁ

ସୂଚନାଥାଉକି, ବାଇଜୁସ୍‌ର କାର୍ଯ୍ୟକାରିତା ଉପରେ ପୂର୍ବରୁ ମଧ୍ୟ ଏହାର ଅନେକ ନିବେଶକ ସମେତ ବୋର୍ଡ ମେମ୍ବର ମଧ୍ୟ ପ୍ରଶ୍ନ ଉଠାଇସାରିଛନ୍ତି। କମ୍ପାନି ଏହାର ଅଡିଟ୍‌ ମଧ୍ କରାଇନାହିଁ।କମ୍ପାନି ୨୦୨୦-୨୧ରୁ ଏହାର ଆର୍ଥିକ କାରବାର ରିପୋର୍ଟ ପ୍ରସ୍ତୁତ କରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.