Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ମନିଲଣ୍ଡ୍ରିଂ ମାମଲାରେ ରୁଜୁ ହୋଇଛି ୫,୯୦୬ଟି ମୋକଦ୍ଦମା, EDଙ୍କ ତଦନ୍ତ ପରିସରରେ ୧୭୬ ସାଂସଦ, ବିଧାୟକ

16/03/2023 at 3:21 PM

ନୂଆଦିଲ୍ଲୀ ୧୬।୩: ପ୍ରିଭେନସନ ଅଫ ମନିଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ)ରେ ମୋଟ କେତୋଟି ମୋକଦ୍ଦମା ରୁଜୁ ହୋଇଛି ତାର ବିବରଣୀ ଦେଇଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏହି ଅଧିନିୟମରେ ୨.୯୮ ପ୍ରତିଶତ ମୋକଦ୍ଦମା ଜନପ୍ରତିନିଧି (ବିଧାୟକ, ପୂର୍ବତନ ବିଧାୟକ, ସାଂସଦ ଓ ପୂର୍ବତନ ସାଂସଦ)ଙ୍କ ବିରୋଧରେ ରୁଜୁ ହୋଇଥିବା ବେଳେ  ଆଇନରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କ ହାର ୯୬ ପ୍ରତିଶତ ବୋଲି ସୂଚିତ କରିଛନ୍ତି।

ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ), ବୈଦେଶିକ ମୁଦ୍ରା ପ୍ରବନ୍ଧନ ଅଧିନିୟମ (ଫେମା) ଓ ପଳାତକ ଆର୍ଥିକ ଅପରାଧୀ ଅଧିନିୟମ( ଏଫଇଓଏ) ଆଦି ଆଇନରେ ୩୧ ଜାନୁୟାରୀ ୨୦୨୩ ସୁଦ୍ଧା ରୁଜୁ ମୋକଦ୍ଦମା ସମ୍ପର୍କରେ ଇଡି ବିସ୍ତୃତ ବିବରଣୀ ଜାରି କରିଛନ୍ତି। ରିପୋର୍ଟ ଅନୁସାରେ ପିଏମଏଲଏ-୨୦୦୨ ଅନୁସାରେ ଇଡିଙ୍କୁ ଅଭିଯୁକ୍ତଙ୍କୁ ଡକାଇବା, ଗିରଫ କରିବା, ସେମାନଙ୍କ ସମ୍ପତ୍ତି କୋରକ କରିବା ଓ କୋର୍ଟରେ ସେମାନଙ୍କୁ ଉପସ୍ଥାପିତ କରିବା ପାଇଁ ଅଧିକାର ଦିଆଯାଇଛି।

ଇଡିଙ୍କ ଅନୁସାରେ ଦେଶରେ ପିଏମଏଲଏ ଆଇନ ଆସିବା ପରଠାରୁ ୩୧ ଜାନୁୟାରୀ ୨୦୨୩ ସୁଦ୍ଧା ମୋଟ ୫ହଜାର ୯୦୬ଟି ମାମଲା ରୁଜୁ ହୋଇଥିବା ସୂଚିତ କରିଛନ୍ତି। ଏଥିରେ ୨.୯୮ ପ୍ରତିଶତ ଅର୍ଥାତ ୧୭୬ଟି ମାମଲା କେବଳ ଜନ ପ୍ରତିନିଧିଙ୍କ ବିରୋଧରେ ରୁଜୁ ହୋଇଛି। ଏହି ସବୁ ମାମଲାରେ ଏପର୍ଯ୍ୟନ୍ତ ୫୧୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧ହଜାର ୧୪୨ଟି ଚାର୍ଜସିଟ୍ ଦାଖଲ ହୋଇଛି। ଏଥିରେ ୨୫ଟି ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ୨୪ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଗୋଟିଏ ମାମଲାରେ ଜଣଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରାଯାଇଛି।

ଇଡିଙ୍କ ସୂଚନା ମୁତାବକ ପିଏମଏଲଏ ଆଇନ ବଳରେ ୨୪ଟି ମାମଲାରେ ୪୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅର୍ଥାତ ଇଡିଙ୍କ ଦ୍ୱାରା ଯେଉଁ ମାମଲାରେ ଶୁଣାଣି ଶେଷ ହୋଇସାରିଛି ସେଥିରେ ଦୋଷୀଙ୍କ ହାର ୯୬ ପ୍ରତିଶତ ବୋଲି କୁହାଯାଇଛି। ଏହି ସବୁ ମାମଲାରେ ଇଡି ୩୬.୨୩ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏଥିରେ କୋର୍ଟ ଦୋଷୀଙ୍କୁ ୪.୬୨ କୋଟି ଟଙ୍କା ଜରିମନା ନିର୍ଦ୍ଦେଶ ଦେଇଛନ୍ତି। ଇଡି ଏହି ତଥ୍ୟ ଏପରି ଏକ ସମୟରେ ଜାରି କରିଛନ୍ତି ଯେତେବେଳେ ସାରା ଦେଶରେ ଏଜେନ୍ସୀ ବିରୋଧରେ ବିପକ୍ଷ ଦଳର ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରଶ୍ନ କରାଯାଉଛି। କେବଳ ଏତିକି ନୁହେଁ ଇଡିଙ୍କ ଦ୍ୱାରା ରୁଜୁ ମୋକଦ୍ଦମାରେ ଦଣ୍ଡ ହାର ନିରାଶାଜନକ ବୋଲି ମଧ୍ୟ ବିରୋଧୀ ଦାବି କରୁଛନ୍ତି।

ତେବେ ଇଡିଙ୍କ ତଥ୍ୟ କହୁଛି ମୋଟ ୫,୯୦୬ଟି ମାମଲାରୁ ମାତ୍ର ୮.୯୯ ପ୍ରତିଶତ ଅର୍ଥାତ ୫୩୧ଟି ମାମଲାରେ ସର୍ଚ୍ଚ ଅଥବା ଚଢଉ ହୋଇଛି। ଏହି ୫୩୧ଟି କେସ୍‌ରେ ୪,୯୫୪ଟି ସର୍ଚ୍ଚ ୱାରେଣ୍ଟ ଜାରି ହୋଇଛି। ଏହି ତଥ୍ୟ ଅନୁସାରେ ଏଜେନ୍ସୀ ଦ୍ୱାରା ପିଁଏମଏଲଏ ଅନୁସାରେ ୧,୯୧୯ଟି କୋରକ ଆଦେଶ ଜାରି ହୋଇଛି। ଏହି ଆଦେଶ ଅନୁସାରେ ୧,୧୫,୩୫୦ କୋଟି ଟଙ୍କାର ସମ୍ପତ୍ତି କୋରକ ହୋଇଛି। ପିଏମଏଲଏ ଆଇନରେ ଏଜେନ୍ସୀ ଏବେକାର ମୁଖ୍ୟମନ୍ତ୍ରୀ, ଶୀର୍ଷ ରାଜନେତା, ବ୍ୟୁରୋକ୍ରାଟ, ବ୍ୟବସାୟୀକ ସମୂହ, କର୍ପୋରେଟ, ବିଦେଶୀ ନାଗରିକଙ୍କ ସମେତ କିଛି ହାଇପ୍ରୋଫାଇଲ ଲୋକଙ୍କ ବିରୋଧରେ ମଧ୍ୟ ଯାଞ୍ଚ ହେଉଛି।

ସେହିପରି ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ ଅନୁସାରେ ଇଡି ଜାନୁୟାରୀ ମାସ ଶେଷ ସୁଦ୍ଧା ୩୩,୯୮୮ ଟି ମୋକଦ୍ଦମା ରୁଜୁ କରିଛନ୍ତି। ଏଥି ମଧ୍ୟରୁ ୧୬, ୧୪୮ଟି କେସ୍‌ରେ ତଦନ୍ତ ପୁରା ହୋଇସାରିଛି। ଏହି ଆଇନରେ ୮ହଜାର ୪୪୦ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ସେହିପରି ପଳାତକ ଆର୍ଥିକ ଅପରାଧ ଅଧିନିୟମରେ ଏଜେନ୍ସୀ ୧୫ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ହୋଇଛି। ଏମାନଙ୍କ ମଧ୍ୟରୁ ୯ ଜଣଙ୍କୁ କୋର୍ଟ ପଳାତକ ଘୋଷଣା କରିଛନ୍ତି।

   Related Posts