ରାଜନୈତିକ ଅସ୍ତ୍ର ପାଲଟିଛି କି ଇଡି ? ସୀତାରମଣ କହିଲେ- ସଂସ୍ଥା ସମ୍ପୂର୍ଣ୍ଣ ସ୍ୱାଧିନତାର ସହ କାର୍ଯ୍ୟ କରେ

Published By : Prameya-News7 Bureau | October 16, 2022 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସିବିଆଇ ଓ ଇଡିର ଦୁରୁପଯୋଗ କରୁଛନ୍ତି ବୋଲି ବାରମ୍ବାର ଅଭିଯୋଗ କରିଆସୁଛନ୍ତି ବିରୋଧୀ। ଏନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଇଡି ସମ୍ପୂର୍ଣ୍ଣ ସ୍ୱାଧୀନତା ଭିତରେ ରହି କାର୍ଯ୍ୟ କରୁଛି। ଏପର୍ଯ୍ୟନ୍ତ ଯେଉଁସବୁ ପଦକ୍ଷେପ ନେଇଛି ସମ୍ପୂର୍ଣ୍ଣ ସ୍ୱାଧିନତାର ସହ ନେଇଛି ବୋଲି ସୀତାରମଣ କହିଛନ୍ତି। ଦୁଇ ଦିନିଆ ଆମେରିକା ଗସ୍ତରେ ଯାଇଥିବା ସୀତାରମଣ ୱାଶିଂଟନ ଡିସିରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଏପରି କହିଛନ୍ତି।

ନାଗରିକଙ୍କ ବିରୋଧରେ ଯାଞ୍ଚ ଏଜେନ୍ସିର ବ୍ୟବହାର କରାଯାଉଛି କି ବୋଲି ସୀତାରମଣଙ୍କୁ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରାଯାଇଥିଲା। ଉତ୍ତର ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଇଡି ଯାହା କରିଛି ସମ୍ପୂର୍ଣ୍ଣ ସ୍ୱାଧୀନତାର ସହ କରିଛି। ଏହା ଏମିତି ଏକ ଏଜେନ୍ସି ଯାହା ଅପରାଧିକ କାର୍ଯ୍ୟକଳାପର ପୂର୍ବ ସୂଚନା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଏ। ଏପରି କିଛି ଉଦାହରଣ ରହିଛି ଯାହାକୁ ଆଲୋଚନା ଭିତରେ ରହିଛି। ଯଦି ଇଡି ସେଠିକି ଯାଇଛି, ତେବେ ନିହାତି କିଛି ପୂର୍ବରୁ ତାଙ୍କ ପାଖରେ ଖବର ରହିଥିବ ବୋଲି ସୀତାରମଣ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଜି-୨୦ ରାଷ୍ଟ୍ର ସମୁହଙ୍କ ଗୁରୁତ୍ୱ କଥା ବି ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଥିଲେ " ଆମେ ଜି-୨୦ ରାଷ୍ଟ୍ର ସମୁହର ଅନେକ ଦେଶର ସହିତ ଦ୍ୱିପାଖିକ ଆଲୋଚନା କଲୁ। ଆମେ ଏମିତି ଏକ ସମୟରେ ଅଧ୍ୟକ୍ଷତା ଗ୍ରହଣ କରିଛୁ ଯେଉଁ ସମୟରେ ଅନେକ ସମସ୍ୟା ରହିଛି। ଆମେ ସବୁ ସଦସ୍ୟରାଷ୍ଟ୍ର ସହିତ ମିଳି ମିଶି କାମ କରିବା ଏବଂ କିଭଳି ଭଲ ଭାବରେ କାମ ହେଇପାରିବ ତାହା ଦେଖିବା।"

କୋଇଲାର ବ୍ୟବହାର ବଢ଼ୁଥିବା ଉପରେ ସୀତାରମଣ କହିଛନ୍ତି " ପଶ୍ଚିମ ଦେଶଗୁଡ଼ିକ ଶକ୍ତି ଉତ୍ପାନଦ ପାଇଁ କୋଇଲା ଉପରେ ନିର୍ଭର କଲେଣି। ଅଷ୍ଟ୍ରେଲିଆ ପୂର୍ବରୁ ଏପରି କହିସାରିଛି। ସେହିପରି ବ୍ରିଟେନ୍‌ରେ ସବୁଠାରୁ ପୁରୁଣା ପାୱାର ପ୍ଲାଣ୍ଟ ପୁଣିଥରେ ଖୋଲିଛି। ଏହା କେବଳ ଭାରତରେ ନୁହେଁ ଅନେକ ଦେଶକୁ ଶକ୍ତି ଉତ୍ପାଦନ ପାଇଁ ପୁଣିଥରେ କୋଇଲା ଉପରେ ନିର୍ଭର କରିବାକୁ ପଡ଼ିଛି। କାରଣ ଗ୍ୟାସ୍‌ ସହଜରେ ମିଳିନି, ଯେତିକି ମିଳିଛୁ ତାର ଖର୍ଚ୍ଚ ବହନ କରାଯାଇପାରୁନି।"

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ପ୍ରଶ୍ନ ନେଇ କଣ କହିଲେ ଅର୍ଥମନ୍ତ୍ରୀ ?

ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ପାଇବା  ପ୍ରସଙ୍ଗ ବି ଉଠାଯାଇଥିଲା। ଭାରତୀୟ ମୁଦ୍ରା ଆମେରିକା ଡଲାର ତୁଳନାରେ ବାରମ୍ବାର ହ୍ରାସ ପାଉଛି। ଏହାର ସମାଧାନ ପାଇଁ କେଉଁ ସବୁ ପଦକ୍ଷେପ ନିଆଯାଉଛି ବୋଲି ସୀତାରମଣଙ୍କୁ ପ୍ରଶ୍ନ କରିଥିଲେ ସାମ୍ବାଦିକ। ଉତ୍ତରରେ ଅର୍ଥମନ୍ତ୍ରୀ କହିଥିଲେ, ଜିଓ ପଲିଟିକାଲ ଟେନ୍‌ସନ ପାଇଁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାମୂଲ୍ୟ ହ୍ରାସ ପାଉଛି।

ସେ କହିଛନ୍ତି " ପ୍ରଥମତଃ ମୁଁ କହିବି ଯେ ରୁପିସ୍ ମୂଲ୍ୟରେ ହ୍ରାସ ପାଇବା ନଦେଖି ଡଲାର କେତେ ମଜଭୁତ ହେଉଛି ତାହା ଦେଖିବା କଥା। ବିନା ବାଧାର ଡଲାରର ମୂଲ୍ୟ ନିୟମିତ ଭାବେ ବଢ଼ି ଚାଲିଛି। ତେଣୁ ସବୁ ଦେଶର ମୁଦ୍ରା ଆମେରିକୀୟ ଡଲାର ତୁଳନାରେ କମୁଛି। ମୁଁ ଟେକ୍ନିକାଲିଟି ବିଷୟରେ କହୁ ନାହିଁ ତେବେ ଅନ୍ୟ ଅଭିବୃଦ୍ଧି ସମ୍ପନ୍ନ ରାଷ୍ଟ୍ରଗୁଡ଼ିକ ଠାରୁ ଭାରତୀୟ ମୁଦ୍ରା ମୂଲ୍ୟ ଭଲ ପ୍ରଦର୍ଶନ କରୁଛି ବୋଲି ମୁଁ ଭାବୁଛି। ଏହି ସମସ୍ୟାର ସମାଧାନ ପାଇଁ ଆର୍‌ବିଆଇ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଛି। ତା ସହ ବ୍ୟାପାର କ୍ଷତି ବଢ଼ୁଛି। ଏହାର ସବୁଆଡ଼େ ହେଉଛି। ତେବେ ଏହି ପ୍ରସଙ୍ଗ ଉପରେ ଆମେ ନଜର ରଖିଛୁ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.