କଂଗ୍ରେସକୁ ଝଟକା, ଆସୋସିଏଟେଡ୍ ଜର୍ଣ୍ଣାଲ୍ସର ୧୬.୩୮ କୋଟି ଟଙ୍କାର ସଂପତ୍ତି ଜବତ କଲା ଇଡି
9/05/2020 at 2:56 PM

ନୂଆଦିଲ୍ଲୀ ୦୯।୦୫: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଶନିବାର କଂଗ୍ରେସ ଦ୍ଵାରା ପରିଚାଳିତ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍(AJL) ଓ ଏହାର ନେତା ମୋତି ଲାଲ ଭୋରାଙ୍କ ୧୬.୩୮ କୋଟି ଟଙ୍କା ମୂଲ୍ୟର ସଂପତ୍ତି ଜବତ କରିଛି। ମନି ଲଣ୍ଡ୍ରିଂ ଯାଞ୍ଚ ସମ୍ବନ୍ଧରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି।
ସୂଚନା ଅନୁଯାୟୀ ଇଡି ମୁମ୍ବାଇ ସ୍ଥିତ ଏକ ନଅ ମହଲା କୋଠା ଜବତ କରିଛି। ଏଥିରେ ଦୁଇଟି ବହୁତଳ ଘର ରହିଛି ଏବଂ ଏହି କୋଠା ୧୫୦୦୦ ବର୍ଗ ମିଟର କ୍ଷେତ୍ରରେ ରହିଛି। ଏଜେନ୍ସି ନିଜର ପ୍ରେସ୍ ବିଜ୍ଞପ୍ତିରେ କହିଛି ଯେ, ଜବତ ସଂପତ୍ତିର ବଜାର ମୂଲ୍ୟ ୧୬.୩୮ କୋଟି ଟଙ୍କା ଆକଳନ କରାଯାଇଛି।
ଧନଶୋଧନ ରୋକଥାମ ଅଧିନିୟମ(PMLA) ଆଧାରରେ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ ଓ ଏହାର ଅଧ୍ୟକ୍ଷ ଓ ପରିଚାଳକ ନିର୍ଦ୍ଦେଶକ ମୋତି ଲାଲ ଭୋରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଆଦେଶ ଜାରି କରିଥିଲା। ନ୍ୟାସନାଲ ହେରାଲ୍ଡ ଖବର କାଗଜ ଦ୍ଵାରା ସମୂହ ସଞ୍ଚାଳିତ। ୧୯୩୮ରେ ଜବାହର ଲାଲ ନେହେରୁ ନ୍ୟାସନାଲ ହେରାଲ୍ଡ ଖବର କାଗଜର ସ୍ଥାପନ କରିଥିଲେ। ତେବେଠୁ ଏହାକୁ କଂଗ୍ରେସର ମୁଖପାତ୍ର କୁହାଯାଏ।
ପ୍ରଥମେ ଖବର କାଗଜର ମାଲିକାନା ଏଜେଏଲ ପାଖରେ ଥିଲା। କିନ୍ତୁ ଦେଶ ସ୍ଵାଧୀନ ପରେ ୧୯୫୬ରେ ଏଜେଏଲକୁ ଅଣ ବ୍ୟବସାୟିକ କମ୍ପାନୀ ରୂପେ ପ୍ରତିଷ୍ଠା କରାଗଲା। ୨୦୦୮ରେ ଏହାର ସମସ୍ତ ପ୍ରକାଶନ ଉପରେ ରୋକ୍ ଲଗାଯାଇଥିଲା। କମ୍ପାନୀ ଉପରେ ୯୦ କୋଟି ଟଙ୍କାର ଋଣ ବୋଝଭାର ରହିଥିଲା। ଏହା ପରେ କଂଗ୍ରେସ ନେତୃତ୍ଵ ୟଙ୍ଗ ଇଣ୍ଡିଆନ ଲିମିଟେଡ୍ ନାମରେ ଏକ ନୂତନ ଅଣ ବ୍ୟବସାୟିକ କମ୍ପାନୀ ସ୍ଥାପନ କରିଥିଲେ। ଏଥିରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହିତ ମୋତିଲାଲ ଭୋରା, ସୁମନ ଦୁବେ, ଅସ୍କାର ଫର୍ଣ୍ଣାଡିଜ୍ ଓ ସ୍ୟାମ ପିଟ୍ରୋଡାଙ୍କୁ ନିର୍ଦ୍ଦେଶକ କରାଯାଇଥିଲା।