ହେମନ୍ତ ସୋରେନଙ୍କ ସହ ଜଡ଼ିତ ମନିଲଣ୍ଡରିଂ ମାମଲା, ଚାରି ଜଣକୁ ଗିରଫ କଲା ଇଡି

Published By : Prameya-News7 Bureau | April 17, 2024 IST

ନୂଆଦିଲ୍ଲୀ: ହେମନ୍ତ ସୋରେନଙ୍କ ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଚାରି ଜଣକୁ ଗିରଫ କଲା ଇଡି।ପ୍ରକୃତରେ ଇଡି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଅନ୍ୟମାନଙ୍କ ନାଁରେ ଅବୈଧ ଭୂମି ହଡ଼ପ ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଚାରି ଜଣକୁ ଗିରଫ କରିଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅନ୍ତୁ ତିର୍କୀ, ପ୍ରିୟ ରଞ୍ଜନ ସହାୟ, ବିପିନ ସିଂହ ଏବଂ ଇରଶାଦଙ୍କୁ ମନିଲଣ୍ଡରିଂ ଆକ୍ଟ ଅନୁଯାୟୀ ହେପାଜତକୁ ନିଆଯାଇଛି। ଇଡି ମଙ୍ଗଳବାର ତିର୍କୀ ଏବଂ କିଛି ଅନ୍ୟଙ୍କ ପରିସରରେ ସର୍ଚ୍ଚ କରିଥିଲା। ଏମାନଙ୍କ ଗିରଫଦାରୀ ସହ, ଏହି ମାମଲାରେ ହେପାଜତରେ ନିଆଯାଇଥିବା ଲୋକଙ୍କ ସମୁଦାୟ ସଂଖ୍ୟା ବଢ଼ି ଆଠ ହୋଇଛି।

ସୂଚନାଥାଉକି, ଇଡି ଗତ ଜାନୁଆରୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାନୁଆରୀ ଗିରଫ କରିଥିଲା। ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପରେ ହିଁ ଗିରଫ କରିଥିଲା ଇଡି।  ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ହୋଟଓ୍ବାରର ବିର୍ସା ମୁଣ୍ଡା ଜେଲରେ ଅଛନ୍ତି।ମୁଖ୍ୟ ଅଭିଯୁକ୍ତ ଏବଂ ରାଜସ୍ବ ବିଭାଗର ପୂର୍ବତନ ଉପନିରୀକ୍ଷକ ଭାନୁ ପ୍ରତାପ ପ୍ରସାଦ, ମୋହମ୍ମଦ ସଦ୍ଦାମ ଏବଂ ଅଫଶର ଅଲୀକୁ ମଧ୍ୟ ଗିରଫ କରାଯାଇଛି। 

ଉଲ୍ଲେଖଯୋଗ୍ୟ, ସୋରେନଙ୍କ ବିରୋଧରେ ଯାଞ୍ଚ, ରାଞ୍ଚିର ୮.୮୬ ଏକର ଜମି ସହ ଜଡ଼ିତ। ଇଡି ଅଭିଯୋଗ ରହିଛି ଯେ, ସୋରେନ ଏହି ଜମି ଅବୈଧ ଭାବରେ କବଜା କରିଥିଲେ। ଆଉ ଏହି ମାମଲାରେ ଇଡି ସୋରେନ, ପ୍ରସାଦ, ରାଜ କୁମାର ପାହନ ଏବଂ ହିଲାରିୟାସ କଚ୍ଛପ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କଥିତ ସହଯୋଗୀ ବିନୋଦ ସିଂହଙ୍କ ବିରୋଧରେ ମାର୍ଚ୍ଚ ୩୦ରେ ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ ଅଭିଯୋଗ ରୁଜୁ କରିଥିଲା। 

ସୋରେନ ମଙ୍ଗଳବାର ରାଞ୍ଚିର ଏକ ସ୍ବତନ୍ତ୍ର ଅଦାଲତରେ ଜାମିନ ଆବେଦନ କରିବା ସହ ଏହା ଅଭିଯୋଗ ଆଣିଥିଲେ ଯେ, ତାଙ୍କର ଗିରଫଦାରୀ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇଛି । ଏହି ମାମଲାରେ ଇଡି ରାଞ୍ଚି ସ୍ଥିତ ଜମିକୁ ଜବତ କରିବାକୁ ଅନୁରୋଧ କରିଛି।

ମାମଲାରେ ମୁଖ୍ୟ ଅଭିଯୁକ୍ତ ପ୍ରସାଦକୁ ଗିରଫ କରାଯାଇଛି। ସେ ସରକାରୀ ରେକର୍ଡରେ ହେରଫେର କରୁଥିଲା। ଇଡି କହିଛି ଯେ, ପ୍ରସାଦ ସୋରେନଙ୍କ ସହ ଅନେକ ଲୋକଙ୍କୁ ଭୂ-ସମ୍ପତ୍ତି ଭାବରେ ଅବୈଧ କବଜା, ଅଧିଗ୍ରହଣ ଏବଂ ଅପରାଧରୁ ମିଳିଥିବା ଧନ ରଖିବା ସହ ଜଡ଼ିତ ଗତିବିଧିରେ ସହାୟତା କରି ନିଜ ଆଧିକାରୀ ପଦର ଦୁରୂପଯୋଗ କରିଥିଲେ। ଇଡି ଦାବି କରିଥିଲା ଯେ, ଝାଡ଼ଖଣ୍ଡରେ ଭୂ-ମାଫିଆଙ୍କ ଏକ ରାକେଟ ସକ୍ରିୟ। ଯାହା ରାଞ୍ଚିରେ ଜମିର ରେକର୍ଡରେ ହେରଫେର କରୁଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.