Economic Survey: ବଢ଼ୁଛି ଭାରତୀୟ ମାନସିକ ସ୍ବାସ୍ଥ୍ୟ ସମସ୍ୟା, ଇଣ୍ଟରନେଟ୍‌ ଏବଂ ସୋସିଆଲ ମିଡିଆର ବ୍ୟବହାର ରହିଛି ବଡ଼ କାରଣ

Published By : Prameya-News7 Bureau | July 22, 2024 IST

ନୂଆଦିଲ୍ଲୀ: ସୋମବାର ଜାରି ହୋଇଥିବା ଇକୋନୋମିକ୍‌ ସର୍ଭେରେ ଭାରତୀୟଙ୍କ ମାନସିକ ସ୍ବାସ୍ଥ୍ୟା ସମସ୍ୟା ଉପରେ ଚିନ୍ତା ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ମାନସିକ ସ୍ଥିତି ଖରାପ ହେବା ଫଳରେ ଅନ୍ୟ କୌଣସି ଶାରୀରିକ ସମସ୍ୟା ଅପେକ୍ଷା, କାମ ଉପରେ ଅଧିକ ପ୍ରଭାବ ପଡ଼ିଥାଏ। ସର୍ଭେରେ ଏହି ସ୍ଥିତି ସହ ଲଢ଼ିବା ପାଇଁ ପରିବର୍ତ୍ତନର ଆବଶ୍ୟକତା ରହିଥିବା କୁହାଯାଇଛି। 

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ସୋମବାର ସଂସଦରେ ଆଗତ ଆର୍ଥିକ ସମୀକ୍ଷା ୨୦୨୩-୨୪ ଅନୁଯାୟୀ, ସମାଜରେ ମାନସିକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ସ୍ବାସ୍ଥ୍ୟ ଏବଂ ଆର୍ଥିକ ଉଭୟ କ୍ଷେତ୍ରରୁ ଜରୁରୀ।ସର୍ଭେରେ ରାଷ୍ଟ୍ରୀୟ ମାନସିକ ସ୍ବାସ୍ଥ୍ୟ ସର୍ଭେକ୍ଷଣ (ଏନଏମଏଚଏସ) ୨୦୧୫-୧୬ର ତଥ୍ୟର ଉଲ୍ଲେଖ କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ଭାରତରେ ୧୦.୬ ପ୍ରତିଶତ ବୟସ୍କ ମାନସିକ ସମସ୍ୟାରେ ପୀଡ଼ିତ। ମହାନଗରମାନଙ୍କରେ ୧୩.୫ ପ୍ରତିଶତ ମାନସିକ ସମସ୍ୟା, ଗ୍ରାମାଞ୍ଚଳରେ ୬.୯ ପ୍ରତିଶତ ଏବଂ ସହରାଞ୍ଚଳରେ ୪.୩ ପ୍ରତିଶତ ରହିଛି। ଆଉ ସବୁଠୁ ଅଧିକ ପ୍ରଭାବିତ ହେଉଥିବା ବୟସ ବର୍ଗରେ ରହିଛନ୍ତି  ୨୫ରୁ ୪୪ ବର୍ଷ ବୟସର ବ୍ୟକ୍ତି ।

ଆହୁରି ମଧ୍ୟ ସର୍ଭେରେ ଏନସିଆରଟି ଦ୍ବାରା କରାଯାଇଥିବା ‘ସ୍କୁଲ ଛାତ୍ରଙ୍କ ମାନସିକ ସ୍ବାସ୍ଥ୍ୟ ଏବଂ କଲ୍ୟାଣ ସର୍ବେକ୍ଷଣ’ର ମଧ୍ୟ ଉଲ୍ଲେଖ କରାଯାଇଛି।ଏହି ରିପୋର୍ଟରେ କିଶୋରଙ୍କ ମାନସିକ ସ୍ବାସ୍ଥ୍ୟ ସମସ୍ୟା ବଢ଼ୁଥିବା କଥା କୁହାଯାଇଛି। ଯାହା କୋଭିଡ-୧୯ ମହାମାରୀ ପରେ ପରେ ଆହୁରି ବୃଦ୍ଧି ହୋଇଛି।ଏନସିଆରଟିର ସର୍ଭେରେ ୧୧ ପ୍ରତିଶତ ଛାତ୍ର ଚିନ୍ତାରେ ଥିବା କଥା କୁହାଯାଇଛି। ସେହିଭଳି ୧୪ ପ୍ରତିଶତ ଛାତ୍ର ଅତ୍ୟଧିକ ଭାବାତ୍ମକ ପରିସ୍ଥିତି ଏବଂ ୪୩ ପ୍ରତିଶତ ଛାତ୍ର ମନ ଚଞ୍ଚଳ ରହିବା କଥା କହିଛନ୍ତି। ଆହୁରି ମଧ୍ୟ ୫୦ ପ୍ରତିଶତ ଛାତ୍ର ପାଠକୁ ନେଇ ଏବଂ ୩୧ ପ୍ରତିଶତ ଛାତ୍ର ପରୀକ୍ଷା ତଥା ଫଳାଫଳକୁ ନେଇ ଚିନ୍ତାରେ ରହୁଥିବା କୁହାଯାଇଛି।

ସର୍ଭେରେ ଶିଶୁ ଏବଂ କିଶୋରଙ୍କ ମଧ୍ୟରେ ଅତ୍ୟଧିକ ଭାବରେ ଇଣ୍ଟରନେଟ୍‌ ବ୍ୟବହାର ଉପରେ ହେଉଥିବା ମାନସିକ ସ୍ଥିତିରେ ବୃଦ୍ଧି କଥା ମଧ୍ୟ ଉଲ୍ଲେଖ କରାଯାଇଛି। ୨୦୨୧ର ଏକ ଗବେଷଣା ରିପୋର୍ଟ ଅନୁଯାୟୀ ଏନସିପିସିଆରରେ କୁହାଯାଇଛି ୨୩.୮ ପ୍ରତିଶତ ଶିଶୁ ବେଡ୍‌ରେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି ଏବଂ ୩୭.୨ ପ୍ରତିଶତ ଶିଶୁ ସ୍ମାର୍ଟଫୋନ୍‌ ବ୍ୟବହାର କାରଣରୁ ଏକାଗ୍ରତା ହରାଉଛନ୍ତି। 

ସର୍ଭେରେ ଆହୁରି କୁହାଯାଇଛି, ମାନସିକ ସ୍ବାସ୍ଥ୍ୟ ସମସ୍ୟା ବ୍ୟକ୍ତିଙ୍କ ଜୀବନର ଗୁଣବତ୍ତାକୁ ପ୍ରଭାବିତ କରୁଛି।  ତେଣୁ ମାନସିକ ସ୍ବାସ୍ଥ୍ୟ ପ୍ରସଙ୍ଗକୁ ସମାଧାନ କରିବା ବିଭିନ୍ନ ଦିଗ ଉପରେ ଆମୂଳଚୂଳ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଚିନ୍ତା ଧାରାରେ ପରିବର୍ତ୍ତନ ଆଦିର ମଧ୍ୟ ଆବଶ୍ୟକ ରହିଛି। 

  • Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.