ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି, ଅଫିସରଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂ ନେଇ କଲେ ଏହି ଘୋଷଣା

Published By : Prameya-News7 Bureau | February 24, 2024 IST

ନୂଆଦିଲ୍ଲୀ ୨୪।୨: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂକୁ ନେଇ ନିର୍ବାଚନ ଆୟୋଗ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନିର୍ବାଚନ ଆୟୋଗ ସବୁ ରାଜ୍ୟ ସରକାରମାନଙ୍କୁ ଏହା ସୁନିଶ୍ଚିତ କରିବାକୁ କହିଛନ୍ତି ଯେ ଯେଉଁ ଅଧିକାରୀମାନେ ୩ ବର୍ଷ ପୂରଣ କରିବା ପରେ ଜିଲ୍ଲାରୁ ବାହାରକୁ ସ୍ଥାନାନ୍ତରିତ  ହୋଇଛନ୍ତି ସେମାନେ ଯେପରି ସେହି ଲୋକସଭା ନିର୍ବାଚନମଣ୍ଡଳିର ଜିଲ୍ଲାରେ ଅବସ୍ଥାପିତ ନହୁଅନ୍ତି।

ବର୍ତ୍ତମାନ ନିର୍ଦ୍ଦେଶରେ ଥିବା ତ୍ରୁଟି ସୁଧାର କରି ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ଯେ ସେହି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଯେଉଁଠାରେ ଦୁଇଟି ସଂସଦୀୟ ନିର୍ବାଚନ ମଣ୍ଡଳି ରହିଛି ସେମାନଙ୍କୁ ଛାଡି ଅନ୍ୟ ରାଜ୍ୟ ସରକାରମାନେ ଏହା ସୁନିଶ୍ଚିତ କରନ୍ତୁ ଯେଉଁ ଅଧିକାରୀଙ୍କୁ ଜିଲ୍ଲାରୁ ବାହାରକୁ ସ୍ଥାନାନ୍ତରିତ କରାଯାଇଛି ସେମାନେ ଯେପରି ସେହି ସଂସଦୀୟ କ୍ଷେତ୍ରରେ ଅବସ୍ଥାପିତ ନ ଥାନ୍ତି।

{"id":913141,"sizeSlug":"large","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ଆୟୋଗଙ୍କ ନୀତି ଅନୁସାରେ ସେହି ସବୁ ଅଧିକାରୀମାନଙ୍କୁ ଟ୍ରାନ୍ସ ଫର କରାଯାଇଛି ଯେଉଁମାନେ ହୁଏତ ସେମାନଙ୍କ ଗୃହ ଜିଲ୍ଲାରେ ଅବସ୍ଥାପିତ ଥିଲେ ଅଥବା ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ କରିଛନ୍ତି। ଏଥିରେ ସେହି ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି ଯେଉଁମାନେ ସିଧା ଅଥବା ପର୍ଯ୍ୟବେକ୍ଷକ କ୍ଷମତାରେ କୌଣସି ପ୍ରକାରେ ନିର୍ବାଚନ କାର୍ଯ୍ୟ ସହିତ ସମ୍ପୃକ୍ତ।

ନିର୍ବାଚନରେ ଯେପରି କୌଣସି ପ୍ରକାରର ବାଧା ଉତ୍ପନ୍ନ ନ ହୁଏ ସେଥି ପାଇଁ ନିର୍ବାଚନ କମିଶନ ଜିରୋ ଟୋଲେରାନ୍ସ ନୀତି ଅବଲମ୍ବନ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନିକଟରେ ସମ୍ପନ୍ନ ହୋଇଥିବା ୫ ରାଜ୍ୟଙ୍କ ବିଧାନସଭା ନିର୍ବାଚନରେ ଆୟୋଗ ବିଭିନ୍ନ ଅଧିକାରୀ, ଏପରିକି ରାଜ୍ୟରେ ବରିଷ୍ଠ ପଦପଦବୀରେ ଅବସ୍ଥାପିତ ପୋଲିସ ଅଧିକାରୀଙ୍କୁ ଟ୍ରାନ୍ସଫର ଆଦେଶ ଦେଇଥିଲେ। ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଓ ନିର୍ବାଚନକୁ ନିରପେକ୍ଷ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପରେ ଏହାକୁ ସବୁଠୁ ବଡ଼ ପଦକ୍ଷେପ ମନେ କରାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.