ତ୍ରିପୁରାରେ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ନେଇ ପ୍ରସ୍ତୁତି ବୈଠକ: ବରିଷ୍ଠ ନାଗରିକଙ୍କ ପାଇଁ ହେବ ଏମିତି ସୁବିଧା

Published By : Prameya-News7 Bureau | January 12, 2023 IST

ନୂଆଦିଲ୍ଲୀ: ତ୍ରିପୁରାରେ ନିରପେକ୍ଷ ବିଧାନସଭା ନିର୍ବାଚନ କରାଇବା ପାଇଁ ଇଲେକ୍ସନ କମିଶନଙ୍କ ପ୍ରସ୍ତୁତି। ଏନେଇ ଗୁରୁବାର ରାଜ୍ୟର ସବୁ ଦଳର ପ୍ରତିନିଧିମାନଙ୍କ ସହ ନିର୍ବାଚନ କମିଶନଙ୍କ ବୈଠକ ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ଏହି ବୈଠକ କରାଯାଇ ରାଜ୍ୟରେ କିପରି ନିରପେକ୍ଷ ନିର୍ବାଚନ ହେବ ସେ ନେଇ ଆଲୋଚନା କରାଯାଇଛି। ରାଜୀବ କୁମାରଙ୍କ ସହ ଏହି ବୈଠକରେ ଇସି ଅନୁପ ଚନ୍ଦ୍ର ପାଣ୍ଡେ ଓ ଅରୁଣ ଗୋୟଲ ମଧ୍ୟ ଉପସ୍ଥିତ ଥିଲେ।

ଏକ ସାମ୍ବାଦିକ ସମ୍ମିଳନୀ କରି ବୈଠକ ସମ୍ପର୍କରେ ସୂଚନା ଦେଇଛନ୍ତି ଇସି। ସ୍ୱଚ୍ଛ ନିର୍ବାଚନ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ସିଇସି ରାଜୀବ କୁମାର କହିଛନ୍ତି। ଇସିଙ୍କ ସୂଚନା ଅନୁସାରେ ପ୍ରଥମ କରି ମତଦାନ କରୁଥିବା ଭୋଟରଙ୍କ ପାଇଁ ଭୋଟର ଜାରି ହୋଇସାରିଛି। ମହିଳା ଓ ଉଭୟଲିଙ୍ଗୀଙ୍କ ପାଇଁ ନାମାଙ୍କନ ଜାରି ରହିଛି।

ସେହିପରି ଭିନ୍ନକ୍ଷମମାନେ ସକ୍ଷମ ଆପ୍ ମାଧ୍ୟମରେ ଭୋଟ୍ ଦେଇପାରିବେ ବୋଲି ଇସି ସୂଚନା ଦେଇଛନ୍ତି। କେକବଳ ସେତେକି ନୁହେଁ ବରିଷ୍ଟ ନାଗରିକଙ୍କ ଭୋଟ୍‌ ପାଇଁ ସୁବ୍ୟବସ୍ଥା କରାଯାଇଛି। ଆବଶ୍ୟକ ପଡ଼ିଲେ ବୟସ୍କ ଲୋକଙ୍କ ଘରକୁ ଯାଇ ଭୋଟ ନିଆଯିବ ଓ ଏହାର ଭିଡିଓ ରେକର୍ଡ କରାଯିବ ବୋଲି ଇସି କହିଛନ୍ତି। ସୂଚନା ଅନୁସାରେ, ଚଳିତ ଥର ତ୍ରିପୁରାରେ ୨୮.୧୩ ଲକ୍ଷ ପଞ୍ଜିକୃତ ଭୋଟର ରହିଛନ୍ତି।

ଆଜିର ବୈଠକରେ ବିଜେପି ପ୍ରତିନିଧି ଅଶୋଖ ସିହ୍ନା, କେନ୍ଦ୍ର ପର୍ଯ୍ୟବେକ୍ଷକ ଡ. ମହେଶ ଶର୍ମା, ସିପିଆଇଏମ୍ ସମ୍ପାଦକ ଜିତେନ ଚୌଧୁରୀ, ବିଧାୟକ ରତନ ଦାସ, କଂଗ୍ରେସ ପିସିସି ସଭାପତି ବିରାଜିତ ସିହ୍ନା, ବିଧାୟକ ସୁଦୀପ ରୟବର୍ମନ, ଟିଏମ୍‌ସି ରାଜ୍ୟ ସଭାପତି ପିୟୁଷ ବିଶ୍ୱାସ ଏବଂ ଅନ୍ୟ ନେତାମାନେ ବୈଠକରେ ଯୋଗ ଦେଇଥିଲେ। ସୂଚନା ଥାଉକି ଜାନୁଆରୀ ୧୫ ତାରିଖରେ ନିର୍ବାଚନ କମିଶନ ରାଜ୍ୟରେ ବୈଠକ ସାରି ଦିଲ୍ଲୀ ଫେରିବେ। ଏହାପରେ ଜାନୁଆରୀ ୧୬ ଓ ୧୭ ତାରିଖ ମଧ୍ୟରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.