ରଣଦୀପ ସୂରଜେୱାଲାଙ୍କ ନିର୍ବାଚନ ପ୍ରଚାର ଉପରେ ୪୮ ଘଣ୍ଟିଆ ବ୍ୟାନ୍, ହେମାମାଳିନୀଙ୍କ ସମ୍ପର୍କରେ ଦେଇଥିଲେ ଅଶାଳିନ ମନ୍ତବ୍ୟ

Published By : Prameya-News7 Bureau | April 16, 2024 IST

ନୂଆଦିଲ୍ଲୀ ୧୬।୪: ହେମା ମାଳିନୀଙ୍କ ଉପରେ ଅନୁଚିତ ଟିପ୍ପଣୀ ମାମଲାରେ ଇଲେକ୍ସନ କମିଶନ କଂଗ୍ରେସ ନେତା ରଣଦୀପ ସୂରଜେୱାଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଆୟୋଗ ମଙ୍ଗଳବାର ସନ୍ଧ୍ୟା ୬ଟାରୁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ସୂରଜେୱାଲାଙ୍କ ରାଲି ଓ ଜନସମାବେଶ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ଏହି ଅବଧିରେ ସେ ସାର୍ବଜନିକ ବୈଠକ, ରୋଡ ସୋ, ଇଣ୍ଟରେଭ୍ୟୁ ଓ ଗଣମାଧ୍ୟମରେ ସାର୍ବଜନିକ ବୟାନ ଦେଇପାରିବେ ନାହିଁ। 

ପୋଲ ପ୍ୟାନେଲ ତାଙ୍କ ନୋଟିସ୍‌ରେ କହିଛନ୍ତି ଯେ ‘ ଆୟୋଗ, ଭାରତର ସମ୍ବିଧାନ ଅନୁଚ୍ଛେଦ ୩୨୪ ଓ ଏହି ସମ୍ବଦ୍ଧୀୟ ସକ୍ଷମ ଅନ୍ୟ ସବୁ କ୍ଷମତା ବଳରେ ତାଙ୍କୁ(ରଣଦୀପ ସୂରଜେୱାଲା ଙ୍କୁ) ୧୬ ଏପ୍ରିଲ ମଙ୍ଗଳବାର ସନ୍ଧ୍ୟା ୬.୦୦ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ କୌଣସି ସାର୍ବଜନିକ ବୈଠକ, ସାର୍ବଜନିକ ଶୋଭାଯାତ୍ରା, ସାର୍ବଜନିକ ରାଲି, ରୋଡସୋ, ସାକ୍ଷାତକାର ଓ ଗଣମାଧ୍ୟମରେ କୌଣସି ପ୍ରକାରର ବୟାନବାଜୀରୁ ରୋକୁଛି’। 

କଂଗ୍ରେସ ସାଧାରଣ ସମ୍ପାଦକ ଓ ରାଜ୍ୟସଭା ସାଂସଦ ରଣଦୀପ ସୂରଜେୱାଲା ହରିୟାଣାର କୈଥଲରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ସୁଶୀଲ ଗୁପ୍ତାଙ୍କ ସମର୍ଥନରେ ଏକ ଜନସମାବେଶକୁ ସମ୍ବୋଧିତ କରିବା ଅବସରରେ ବିଜେପି ନେତ୍ରୀ ତଥା ମଥୁରା ସାଂସଦ ହେମା ମାଳିନୀଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିଥିଲେ।  

ତାଙ୍କର ଏହି କଥାକୁ ନେଇ ବିବାଦ ଉପୁଜିବାରୁ ସୂରଜେୱାଲା ସଫେଇ ଦେଇଥିଲେ ଓ କହିଥିଲେ ମୋର ଉଦ୍ଦେଶ୍ୟ ହେମାମାଳିନୀଙ୍କୁ ଅପମାନିତ କରିବା ନୁହେଁ କି ତାଙ୍କୁ ଆହତ କରିବାର ନଥିଲା। ଭାଇରାଲ ଭିଡିଓରେ ମୋ ବୟାନକୁ ମୋଡିମକଚି ଉପସ୍ଥାପନ କରାଯାଇଛି।  ଏହା ପରେ ନିର୍ବାଚନ ଆୟୋଗ ଏପ୍ରିଲ ୯ ତାରିଖରେ ସୂରଜେୱାଲାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.