ମୁମ୍ବାଇ ୨୫।୫: ଦେବାଳିଆ ହୋଇପଡିଥିବା ବିମାନ କମ୍ପାନୀ ଗୋ ଫାର୍ଷ୍ଟ କିଣିବା ଦୌଡରୁ ଇଜିଟ୍ରିପ୍ ପଛକୁ ହଟିଯାଇଛି। ଇଜିଟ୍ରିପ୍ ସଂସ୍ଥାପକ ନିଶାନ୍ତ ପିଟ୍ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କମ୍ପାନୀ ଏବେ ତାର ମୁଖ୍ୟ ବ୍ୟବସାୟକୁ ଅଧିକ ମଜଭୁତ କରିବା ପାଇଁ ଫୋକସ କରୁଛି। ସେ କହିଛନ୍ତି ଯେ ଆମେ ଆମ ଫୋକସ ମୁଖ୍ୟ କ୍ଷେତ୍ରକୁ ବଢାଇବା ଲାଗି କରିବୁ। ଏଣୁ ଗୋ ଫାର୍ଷ୍ଟ ବୋଲିରୁ ହଟିବା ପାଇଁ ନିଷ୍ପତ୍ତି ନେଇଛୁ।
ସେ କହିଛନ୍ତି ଯେ ଆମର ଯୋଜନା ଏକ୍ସପର୍ଟାଇଜ୍ ଓ ରିସୋର୍ସେସକୁ ଉପଯୋଗ କରି ମଜଭୁତ ଗ୍ରୋଥ ଓ ସଫଳତା ହାସଲ କରିବା। ଏହା ପୂର୍ବରୁ ରିପୋର୍ଟ ଆସିଥିଲା ଯେ ଇଜିମାଇଁ ଟ୍ରିପ୍ ସିଇଓ ନିଶାନ୍ତ ପିଟ୍ଟି ଗୋ ଫାର୍ଷ୍ଟ ଏୟାରଲାଇନ୍ସ କିଣିବା ପାଇଁ ସ୍ପାଇସ୍ ଜେଟ୍ ଚେୟାରମ୍ୟାନ ତଥା ଏମଡି ଅଜୟ ସିଂହଙ୍କ ସହିତ ହାତ ମିଳାଇଛନ୍ତି। ପିଟ୍ଟି ତାଙ୍କ ଦ୍ୱିତୀୟ କମ୍ପାନୀ ବିଜି ବି ଏୟାରୱେଜ୍ ମାଧ୍ୟମରେ ଅଜୟ ସିଂହଙ୍କ ସହିତ ମିଶି ମିଳିତ ବିଡ୍ କରିଥିଲେ।
ସ୍ପାଇସ୍ ଜେଟ୍ ସିଏମଡି ଅଜୟ ସିଂହଙ୍କ ଅନୁସାରେ ଦେବାଳିଆ ହୋଇପଡିଥିବା ଗୋ ଫାର୍ଷ୍ଟରେ ଅପାର ସମ୍ଭାବନା ରହିଛି ଓ ସ୍ପାଇସ୍ ଜେଟ୍ ସହ ମିଶି ଭାରତୀୟ ଏଭିଏସନ ସେକ୍ଟରରେ ରାଜ କରିପାରିବ। ଏହା ଦ୍ୱାରା ଉଭୟ ଏୟାରଲାଇନ୍ସକୁ ଲାଭ ମିଳିବ। ଅଜୟ ସିଂହଙ୍କ ଅନୁସାରେ ଗୋଫାର୍ଷ୍ଟ ନିକଟରେ ଡୋମେଷ୍ଟିକ୍ ଓ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଅହମ ସ୍ଲଟ ରହିଛି। ତାର ଇଣ୍ଟରନ୍ୟାସନାଲ ଟ୍ରାଫିକ୍ ରାଇଟସ୍ ଅଛି। ଏହା ଛଡା ଏହା ଏକ ନିର୍ଭରଯୋଗ୍ୟ ମୂଲ୍ୟବାନ ବ୍ରାଣ୍ଡ ମଧ୍ୟ।
ତେବେ ନିଶାନ୍ତ ପିଟ୍ଟି ପଛକୁ ହଟିଯାଇଥିବା ବେଳେ ଅଜୟ ସିଂହ ଗୋ ଫାର୍ଷ୍ଟକୁ କିଣିବା ପାଇଁ ବୋଲି ଲଗାଇବେ କି ନା ସେ ନେଇ ସ୍ପଷ୍ଟ କିଛି ଜଣାପଡି ନାହିଁ। ତେବେ ଏହାକୁ କିଣିବା ପାଇଁ ଅଜୟ ସିଂହଙ୍କ ବ୍ୟତୀତ ସାରଜାର ସ୍କାଇ-ୱାନ ଓ ଆଫ୍ରିକାର ସେଫରିକ୍ ଇନଭେଷ୍ଟମେଣ୍ଟସ୍ ଆଗ୍ରହ ପ୍ରକାଶ କରିଛି। ଗୋ ଫାର୍ଷ୍ଟ ୩ ମେ ୨୦୨୩ ପରଠାରୁ ଉଡାଣ କରି ନାହିଁ। ଏହାର ବିମାନଗୁଡିକ ଏବେ ବିଭିନ୍ନ ଏୟାରପୋର୍ଟରେ ପଡି ଧୂଳି ଖାଉଛନ୍ତି।