ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକ : ୪ଟି ପ୍ରସଙ୍ଗ ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବୈଠକରେ ସାମିଲ ହୋଇଛନ୍ତି ମମତା, ନୀତିଶ ଏବଂ ଝାଡଖଣ୍ଡ ଅର୍ଥମନ୍ତ୍ରୀ
28/02/2020 at 1:17 PM

ଭୁବନେଶ୍ବର ୨୮।୦୨: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକ । ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗଦେଇଛନ୍ତି । ଏହି ପରିଷଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପାଧ୍ୟକ୍ଷ ରହିଛନ୍ତି । ତେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ବୈଠକରେ ଯୋଗ ଦେଇ ନାହାଁନ୍ତି । ହେମନ୍ତଙ୍କ ବଦଳରେ ଝାଡଖଣ୍ଡ ଅର୍ଥମନ୍ତ୍ରୀ ରାମେଶ୍ବର ଓରାନ ବୈଠକରେ ଯୋଗ ଦେଇଛନ୍ତି ।

ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ପ୍ରାୟ ୫୦ଟି ବିଭିନ୍ନ ବିଷୟ ଉପରେ ଆଲୋଚନା ହେଉଛି । ଏହି ବୈଠକରେ ୪ଟି ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ସେ କହିଛନ୍ତି, ଜାତୀୟ ସଂହତି ଓ ରାଜ୍ୟ-ରାଜ୍ୟ, କେନ୍ଦ୍ର ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଏହି ବୈଠକର ମୂଳ ଉଦ୍ଦେଶ୍ୟ। ଅର୍ଥନୈତିକ ଭିତ୍ତିଭୂମି ଓ ପ୍ରଯୁକ୍ତି ବିଦ୍ୟାକୁ ନେଇ ସମସ୍ତଙ୍କ ମଧରେ ସଂହତି ଆସିବା ଦରକାର।

ବୈଠକରେ ଆନ୍ତଃରାଜ୍ୟ ଜଳବିବାଦ, ବିଦ୍ୟୁତ ସରବରାହ, କୋଇଲା ଖଣି ଗୁଡିକର ପରିଚାଳନା, ରୟାଲିଟି, ରେଳ ପ୍ରକଳ୍ପ ଗୁଡିକ ନିମନ୍ତେ ଭୂମି, ଜଙ୍ଗଲଗତ ମଞ୍ଜୁରି, ଜଘନ୍ୟ ଅପରାଧ ଗୁଡିକର ତଦନ୍ତ, ଦେଶ ଭିତରେ ଓ ସୀମାରେ ଗୋରୁ ଚାଲାଣ ଭଳି ସଙ୍ଗୀନ ପ୍ରସଙ୍ଗ ଉଠିଛି । ଏହାବ୍ୟତୀତ ଦୁର୍ଗମ ଅଞ୍ଚଳରେ ଦୂରସଞ୍ଚାର ଓ ବ୍ୟାଙ୍କିଙ୍ଗ୍ ସେବାର ଭିତ୍ତିଭୂମି, ପେଟ୍ରୋଲିୟମ ପ୍ରକଳ୍ପ, କେନ୍ଦ୍ରୀୟ ରାଜସ୍ୱର ପରିବଣ୍ଟନ ଇତ୍ୟାଦି ପ୍ରସଙ୍ଗ ମଧ୍ୟ ତାଲିକାଭୁକ୍ତ ହୋଇଛି ।