ବୈଜ୍ଞାନିକ ତାଜୁବ, ମଙ୍ଗଳରେ ମିଳିଲା ପୃଥିବୀର ଦୁର୍ଲଭ ଖଣିଜ
17/08/2022 at 1:57 PM

ନୂଆଦିଲ୍ଲୀ ୧୭/୦୮: ୭ ବର୍ଷ ପୂର୍ବେ ନାସାର କ୍ୟୁରିଓସିଟି ରୋଭର୍ ଗେଲ୍ କ୍ରାଟର୍ର ଏକ ଠୋସ୍ ଚଟାଣରେ ଡ୍ରିଲ୍ କରିଥିଲା । ସେଠାରେ ଦିନେ ଏକ ବଡ଼ ହ୍ରଦ ଥିଲା । ଡ୍ରିଲିଂରେ ଧୂସର ରଙ୍ଗର ଗୁଣ୍ଡ ବାହାରିଲା, ଯାହା ଏକ ଖଣିଜ ଥିଲା । ବୈଜ୍ଞାନିକମାନେ ଏହାକୁ ମଙ୍ଗଳ ଗ୍ରହରେ ଦେଖିବାର ଆଶା କରିନଥିଲେ । ଏହା ଟ୍ରାଇଡିମାଇଟ୍ ଥିଲା । ଅଗ୍ନି ଉଦ୍ଗିରଣରୁ ଏହା ନିର୍ଗତ ହୋଇଛି ।
ଏହା ଏକ ପ୍ରକାର ଚିକ୍ମିକ୍ ପଥର, ଯାହା ଉଚ୍ଚ ତାପମାତ୍ରା ଓ କମ୍ ଚାପରେ ନିର୍ମିତ ହୋଇଥାଏ । ପୃଥିବୀରେ ଏହା ଅତ୍ୟନ୍ତ ଦୁର୍ଲଭ । ସେଥିପାଇଁ ଲାଲ୍ ଗ୍ରହରେ ଏହାର ଆବିଷ୍କାର ବୈଜ୍ଞାନିକଙ୍କୁ ଚକିତ କରିଛି । ଅର୍ଥ ଆଣ୍ଡ ପ୍ଲାନେଟାରି ସାଇନ୍ସ ଲେଟର୍ସରେ ପ୍ରକାଶିତ ଏକ ଅଧ୍ୟୟନ ମଙ୍ଗଳ ଗ୍ରହରେ ମିଳିଥିବା ଏହି ଖଣିଜ ବିଷୟରେ ବୁଝାଇବାକୁ ଚେଷ୍ଟା କରିଛି ।
ଅଧ୍ୟୟନର ଲେଖିକା ରାଇସ୍ ୟୁନିଭର୍ସିଟିର କିରଷ୍ଟେନ୍ ସିବାଚ୍ କହନ୍ତି, ଗେଲ୍ କ୍ରାଟର୍ରେ ଟ୍ରାଇଡିମାଇଟ୍ ଚିହ୍ନଟ ହେବା କ୍ୟୁରିଓସିଟି ରୋଭର୍ର ଗତ ୧୦ ବର୍ଷର ଆବିଷ୍କାର ମଧ୍ୟରେ ସର୍ବୋତ୍ତମ ଓ ଆଶ୍ଚର୍ଯ୍ୟ ଚକିତ ଫଳାଫଳ । ଟ୍ରାଇଡିମାଇଟ୍ ସାଧାରଣତଃ ପୃଥିବୀରେ କ୍ୱାର୍ଟଜ୍ ନିର୍ମାଣ, ବିସ୍ଫୋରକ ଓ ବିକଶିତ ଆଗ୍ନେୟଗିରି ସହ ସଂଶ୍ଳିଷ୍ଟ । କିନ୍ତୁ ମଙ୍ଗଳ ଗ୍ରହରେ ଏକ ପ୍ରାଚୀନ ହ୍ରଦର ନିମ୍ନ ଭାଗରେ ଏହା ମିଳିଛି । ସେଠାକାର ଅଧିକାଂଶ ଆଗ୍ନେୟଗିରି ଖୁବ୍ ପ୍ରାଚୀନ ।
ତାଙ୍କ କହିବା ଅନୁସାରେ, ମଙ୍ଗଳ ଗ୍ରହରେ ହ୍ରଦର ଜଳ ଓ ଆଗ୍ନି ଉଦ୍ଗିରଣ ଯୋଗୁ ଟ୍ରାଇଡିମାଇଟ୍ ନିର୍ମିତ ହୋଇଥିବ । ଅଧ୍ୟୟନର ଫଳାଫଳରୁ ଜଣାପଡ଼େ, ୩ ଅରବ ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ଅଗ୍ନି ଉଦ୍ଗିରଣ ହେଉଥିଲା । କାରଣ ଏହି ଗ୍ରହ ଆର୍ଦ୍ର ଦୁନିଆରୁ ବର୍ତ୍ତମାନର ଥଣ୍ଡା ଓ ମରୁଭୂମିରେ ରୂପାନ୍ତରିତ ହେଉଥିଲା । କିରଷ୍ଟେନ୍ କହିଛନ୍ତି, ମଙ୍ଗଳ ଗ୍ରହରେ ବାସାଲ୍ଟିକ୍ ଆଗ୍ନେୟଗିରି ବିସ୍ଫୋରଣର ପର୍ଯ୍ୟାପ୍ତ ପ୍ରମାଣ ରହିଛି । କିନ୍ତୁ ଏଥିରେ ଅଧିକ ରସାୟନ ରହିଛି ।