ଗୁଜରାଟର ସୁରଟରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୮
11/02/2023 at 4:49 PM

ସୁରଟ ୧୧।୨: ଗୁଜରାଟର ସୁରଟ ସହରରେ ଶନିବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ସୁରଟ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି ଭୂମିକମ୍ପର ଉତ୍ପତି ସ୍ଥଳ ଆରବ ସାଗରରେ ଥିଲା। ମାଟିରୁ ୫.୨ କିଲୋମିଟର ଗଭୀରରେ କମ୍ପନ ସୃଷ୍ଟି ହୋଇଥିଲା। ଭୂମିକମ୍ପ ବିଜ୍ଞାନ ଅନୁସନ୍ଧାନ ସଂସ୍ଥାନ (ଆଇଏସଆର)ର ଜନୈକ ଅଧିକାରୀ ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା ବୋଲି କହିଛନ୍ତି। ଏହି ଭୂମିକମ୍ପ ଯୋଗୁ କୌଣସି ପ୍ରକାରର ଧନଜୀବନ ହାନୀର ସୂଚନା ନାହିଁ।

ତୁର୍କିରେ ଗତ ସୋମବାର ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ତୁର୍କିରୁ ସିରିଆ ପର୍ଯ୍ୟନ୍ତ ପ୍ରଭାବିତ କରିଛି। ଏଥିରେ ସୁରଟରେ ଅନୁଭୂତ ଭୂକମ୍ପକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଗୁଜରାଟ ରାଜ୍ୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ (ଜିଏସଡିଏମଏ) ରାଜ୍ୟ ଲାଗି ଭୂମିକମ୍ପର ବିପଦ ବହୁତ ବେଶି ବୋଲି କହିଛନ୍ତି। ଭୂମିକମ୍ପ ଦୃଷ୍ଟିରୁ ଗୁଜରାଟକୁ ହାଇ ରିସ୍କ ଜୋନରେ ରଖା ଯାଇଛି। ଏଠାରେ ୧୮୧୯, ୧୮୪୫, ୧୮୪୭, ୧୮୪୮, ୧୮୬୪, ୧୯୦୩, ୧୯୩୮, ୧୯୫୬ ଓ ୨୦୦୧ରେ ବଡ଼ ଧରଣର ଭୂମିକମ୍ପ ସବୁ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ୨୦୦୧ ମସିହାରେ ଗୁଜରାଟର କଚ୍ଛରେ ହୋଇଥିବା ଭୂମିକମ୍ପ ଗତ ଦୁଇ ଶତାବ୍ଦୀରେ ଭାରତରେ ତୃତୀୟ ବଡ଼ ଓ ଦ୍ୱିତୀୟ ବିନାଶକାରୀ ଭୂମିକମ୍ପ ଥିଲା। ଏହି ଭୂମିକମ୍ପରେ ୧୩ହଜାର ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୧.୬୭ ଲକ୍ଷ ଲୋକେ ଆହତ ହୋଇଥିଲେ।