ତୁର୍କୀର ବିନାଶକାରୀ ଭୂକମ୍ପ କ୍ଷତି ଟପିବ ୧୦୦ ବିଲିୟନ ଡଲାର : ଜାତିସଂଘ
7/03/2023 at 10:53 PM

ନୂଆଦିଲ୍ଲୀ: ଫେବ୍ରୁଆରୀରେ ତୁର୍କୀ ଏବଂ ସିରିଆରେ ହୋଇଥିବା ବିନାଶକାରୀ ଭୂକମ୍ପ ଯୋଗୁଁ କେବଳ ତୁର୍କୀରେ ୧୦୦ ବିଲିୟନ ଡଲାରରୁ ଅଧିକ କ୍ଷତି ହୋଇଛି । ମିଳିତ ଜାତିସଂଘ ମଙ୍ଗଳବାର ଏହି ସୂଚନା ଦେଇଛି । ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି)ର ଲୁଇସ ଭିଣ୍ଟନ ତୁର୍କୀରେ ସାମ୍ୱାଦିକଙ୍କୁ କହିଛନ୍ତି, ‘ପୂର୍ବରୁ ହିଁ ସ୍ପଷ୍ଟ ହୋଇ ସାରିଥିଲା ଯେ ତୁର୍କୀରେ ହିଁ ୧୦୦ ବିଲିୟନ ଡଲାରର କ୍ଷତି ହୋଇଛି’ ।
ଫେବ୍ରୁଆରୀ ୬ରେ ତୁର୍କୀ ଏବଂ ସିରିଆରେ ୬.୭ ତୀବ୍ରତାର ଭୂକମ୍ପ ହୋଇଥିଲା । ଏହାପରେ ଅନେକ ଭୂକମ୍ପ ପରବର୍ତ୍ତୀ ଝଟକା ଅନୁଭବ ହୋଇଥିଲା । ଭୂକମ୍ପ ଯୋଗୁଁ ତୁର୍କୀରେ ୪୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ପଡୋଶୀ ସିରିଆରେ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।
ବିଶ୍ୱ ବ୍ୟାଙ୍କ ଗତ ସପ୍ତାହରେ ଅନୁମାନ କରିଥିଲା ଯେ ବିନାଶକାରୀ ଭୂକମ୍ପରେ ତୁର୍କୀରେ ୩୪ ବିଲିୟନ ଡଲାରରୁ ଅଧିକ କ୍ଷତି ହୋଇଛି । ତେବେ ଲୁଇସ ଭିଣ୍ଟନ କହିଛନ୍ତି ଯେ ୟୁଏନଡିପି, ବିଶ୍ୱ ବ୍ୟାଙ୍କ ଏବଂ ୟୁରୋପୀୟ ୟୁନିୟନର ସହଯୋଗରେ ତୁର୍କୀ ସରକାର ବହୁ ଅଧିକ କ୍ଷତି ନେଇ ଅନୁମାନ କରିଥିଲା ।
ସେ କହିଛନ୍ତି ଯେ କ୍ଷତି ସଂଖ୍ୟା ସ୍ପଷ୍ଟ ହେବା ପରେ ଏହାକୁ ଆସନ୍ତା ସପ୍ତାହରେ ବ୍ରୁସେଲ୍ସ ହେବାକୁ ଥିବା ରିକଭରୀ ଏବଂ ରିକନଷ୍ଟ୍ରକସନ ଡୋନର କନଫରେନ୍ସିଂରେ ଆଗତ କରାଯିବ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଦୁଇ ଦେଶରେ ୨ କୋଟି ୬୦ ଲକ୍ଷ ଲୋକଙ୍କୁ ସାହାଯ୍ୟର ଅବଶ୍ୟକତା ରହିଛି । ଗତ ୭୫ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏତେ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ କରୁଛି ।
ୱାଶିଂଟନ ପୋଷ୍ଟର ରିପୋର୍ଟ ଅନୁସାରେ, ଫେବ୍ରୁଆରୀର ପ୍ରଥମ ଦୁଇ ସପ୍ତାହରେ ହିଁ ତୁର୍କୀର ୧୧ ରାଜ୍ୟରେ ୬୦୪୦ ଆଫ୍ଟର ସକ୍ ଅନୁଭବ ହୋଇଛି । ଏହି ଅଞ୍ଚଳ ଗୁଡିକୁ ଡିଜାଷ୍ଟର ଜୋନ କୁହାଯାଉଛି । ୬ ହଜାର ମଧ୍ୟରୁ ୪୦ ଆଫ୍ଟର ସକ୍ ୫ରୁ ୬ ତୀବ୍ରତା ମଧ୍ୟରେ ରହିଥିଲା ।