ପ୍ରତି ୨୫୦ ଲୋକରେ ଜଣେ କରୋନା ପଜିଟିଭ୍, ମୃତ୍ୟୁସଂଖ୍ୟା ଟପିଲାଣି ୧୦ ଲକ୍ଷ

Published By : Prameya-News7 Bureau | September 28, 2020 IST

ନୁଆଦିଲ୍ଲୀ, ୨୮|୦୯  :  ବିଶ୍ୱରେ ଥମୁନି କରୋନା ଆତଙ୍କ । ପ୍ରତିଦିନ ଲକ୍ଷଲକ୍ଷ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ପ୍ରତି ୨୫୦ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏବେ ବିଶ୍ୱରେ କରୋନା ମାମଲା ୩ କୋଟି ୩୩ ଲକ୍ଷରୁ ଅଧିକ । ଯାହା ପୃଥିବୀର ମୋଟ୍ ଜନସଂଖ୍ୟାର ୦.୪ ପ୍ରତିଶତ ।

ଆଇଏଏନଏସର ଖବର ଅନୁସାରେ, ସେପ୍ଟେମ୍ବର ୨୦୨୦ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୭୮୦ କୋଟିରେ ପହଁଚିଯିବ । ସଂଯୁକ୍ତ ରାଷ୍ଟ୍ରର ରିପୋର୍ଟରେ ଏନେଇ କୁହାଯାଉଛି । ବିଶ୍ୱରେ କରୋନା ସକ୍ରିୟ ମାମଲା ଦ୍ରୁତ ଗତିରେ ବଢିଚାଲିଛି । ଗତ ସପ୍ତାହରେ ନୂଆ ୫ ଲକ୍ଷ ସକ୍ରିୟ ମାମଲା ସାମ୍ନାକୁ ଆସିଛି । ମୋଟ୍ ମାମଲାର ଏବେ ୨୩.୩ ପ୍ରତିଶତ ସକ୍ରିୟ କେସ୍ ରହିଛି । ଗତ ୭ଦିନ ମଧ୍ୟରେ ପ୍ରାୟ ୩୭ ହଜାର ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ଟପିବାକୁ ବସିଲାଣି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚେତାବନୀ ଦେଇଛି ଯେ, ଭାକସିନ୍ ନଆସିବା ଯାଏଁ କରୋନା ମୃତକଙ୍କ ସଂଖ୍ୟା ୨୦ ଲକ୍ଷ ପହଁଚିପାରେ । ଚୀନରେ କରୋନାର ପ୍ରଥମ ମାମଲା ଆସିବା ପରେ କରୋନା ମୃତକଙ୍କ ମାମଲା ଦ୍ରୁତ ଗତିରେ ବଢି ୧୦ ଲକ୍ଷର ନିକଟତର ହୋଇଛି ।

ଜନ୍ ହପକିଙ୍ଗସ୍ ୟୁନିଭର୍ସିଟି ଅନୁସାରେ, ଆମେରିକା ବିଶ୍ୱରେ କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶ । ଏଠାରେ ମହାମାରୀ ୨ଲକ୍ଷରୁ ଅଧିକ ଜୀବନ ନେଇଛି । ଏହାସହ ମୋଟ୍ ସଂକ୍ରମିତଙ୍କ ମାମଲା ୭୦,୩୨,୫୨୪ରେ ପହଁଚିଛି । କରୋନା ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ପ୍ରାୟ ୬୦ ଲକ୍ଷ ସଂକ୍ରମିତ ହୋଇଥିବା ବେଳେ ୯୨ ହଜାରରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.