ପରବର୍ତ୍ତୀ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ, ଯିଏ ନିଜ ବାପା ପୂର୍ବତନ CJIଙ୍କ ଦୁଇଟି ନିଷ୍ପତ୍ତିକୁ ବଦଳାଇ ଦେଇଥିଲେ

Published By : Prameya-News7 Bureau | October 11, 2022 IST

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ତଥା ୫୦ତମ ପ୍ରଧାନ ବିଚାରପତି ହେବେ ଡିଓ୍ଵାଇ ଚନ୍ଦ୍ରଚୂଡ। ତାଙ୍କ ନାମରେ ମଙ୍ଗଳବାର ସୁପାରିଶ କରିଛନ୍ତି ବର୍ତ୍ତମାନର ପ୍ରଧାନ ବିଚାରପତି ୟୁୟୁ ଲଳିତ। ତାଙ୍କର କାର୍ଯ୍ୟକାଳ ଚଳିତ ବର୍ଷ ନଭେମ୍ବର ୮ରେ ସରୁଛି। ଆଇନଜୀବୀ ଭାବେ ଚନ୍ଦ୍ରଚୂଡଙ୍କ କ୍ୟାରିୟର ବେଶ ପ୍ରଭାବଶାଳୀ ରହିଛି। ପ୍ରଖ୍ୟାତ ଆଇନଜୀବୀ ଚନ୍ଦ୍ରଚୂଡ ଏମିତି ଜଣେ ବିଚାରପତି ଯିଏ ନିଜ ବାପାଙ୍କ ନିର୍ଣ୍ଣୟକୁ ଦୁଇ ଦୁଇ ଥର ଓଲଟାଇ ଦେଇଛନ୍ତି। ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ବାପା ହେଉଛନ୍ତି ଯଶବନ୍ତ ବିଷ୍ଣୁ ଚନ୍ଦ୍ରଚୂଡ। ସେ ଦେଶର ୧୬ତମ ପ୍ରଧାନ ବିଚାରପତି ଭାବେ ୧୯୭୮ ଫେବୃଆରୀ ୨୨ରୁ ୧୯୮୫ ଜୁଲାଇ ୧୧ ପର୍ଯ୍ୟନ୍ତ(୭ ବର୍ଷ ୪ ମାସ) କାର୍ଯ୍ୟଭାର ସମ୍ଭାଳିଥିଲେ। ଅନ୍ୟପକ୍ଷେ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ନିଜର ନିର୍ଭୀକ ନିଷ୍ପତ୍ତି କାରଣରୁ ବେଶ ଲୋକପ୍ରିୟ। ସେ ପ୍ରାୟ ଦୁଇ ବର୍ଷ ପାଇଁ ଦେଶର ପ୍ରଧାନ ବିଚାରପତି ହେବେ।

ବାପାଙ୍କ ଦୁଇଟି ରାୟକୁ ଓଲଟାଇ ଦେଇଥିଲେ

ବିଚାରପତି ଚନ୍ଦ୍ରଚୂଡ ୨୦୧୭-୧୮ରେ ବାପାଙ୍କ ଦ୍ଵାରା ଦିଆଯାଇଥିବା ଦୁଇଟି ନିଷ୍ପତ୍ତିକୁ ବଦଳାଇ ଦେଇଥିଲେ। ଏଥିରେ ବୟସ୍କ ନିୟମ(ଆଡଲଟରୀ ଲ) ଏବଂ ଶିବକାନ୍ତ ଶୁକ୍ଳା ବନାମ ଏଡିଏମ ଜବଲପୁର ମାମଲା ସାମିଲ୍। ୧୯୮୫ରେ ତତ୍କାଳୀନ ପ୍ରଧାନ ବିଚାରପତି ଓ୍ଵାଇଭି ଚନ୍ଦ୍ରଚୂଡଙ୍କ ପୀଠ ସୌମିତ୍ର ବିଷ୍ଣୁ ମାମଲାରେ ଆଇପିସିର ଧାରା ୪୯୭କୁ ବଳବତ୍ତର ରଖିଥିଲେ। ଉକ୍ତ ସମୟରେ ପୀଠ ନିଜ ନିଷ୍ପତ୍ତିରେ ଲେଖିଥିଲେ ଯେ, ସାଧାରଣତଃ ଶାରୀରିକ ସମ୍ବନ୍ଧ ସମୟରେ ଚାଲାକି କରୁଥିବା ବ୍ୟକ୍ତି ମହିଳା ନୁହେଁ ପୁରୁଷ ହୋଇଥାନ୍ତି। ବାପାଙ୍କ ଏହି ନିଷ୍ପତ୍ତିକୁ ୨୦୧୮ରେ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ପୀଠ ଓଲଟାଇ କହିଥିଲେ, ଆଡଲଟରୀ ଲର ମହତ୍ଵକୁ ବୁଝିବା ଉଚିତ୍। ଧାରା ୪୯୭କୁ ସଂଶୋଧନ କରାଯିବା ଉଚିତ୍। କାରଣ ଆମକୁ ପରିବର୍ତ୍ତିତ ସମାଜକୁ ନେଇ ଆଗକୁ ବଢିବାର ଅଛି। ଏମିତି ମାମଲାରେ କେବଳ ପୁରୁଷ କି ମହିଳାଙ୍କୁ ଦାୟୀ କରାଯାଇ ପାରିବ ନାହିଁ।

ଦ୍ଵିତୀୟ ନିଷ୍ପତ୍ତି

୧୯୭୬ରେ ଶିବକାନ୍ତ ଶୁକ୍ଳା ବନାମ ଏଡିଏମ ଜବଲପୁର ମାମଲାରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ବ୍ୟକ୍ତିଗତକୁ ମୌଳିକ ଅଧିକାର ମାନିଥିଲେ। ଉକ୍ତ ଖଣ୍ଡପୀଠରେ ପୂର୍ବତନ ପ୍ରଧାନ ବିଚାପରତି ଓ୍ଵାଇଭି ଚନ୍ଦ୍ରଚୂଡ ସାମିଲ୍ ଥିଲେ। କିନ୍ତୁ ୨୦୧୭ରେ ଏକ ମାମଲାର ଶୁଣାଣି ବେଳେ ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ନିଜ ନିଷ୍ପତ୍ତିରେ ଲେଖିଥିଲେ ଯେ, ଏଡିଏମ ଜବଲପୁର ମାମଲାରେ ଦିଆଯାଇଥିବା ନିଷ୍ପତ୍ତିରେ ବହୁତ ତ୍ରୁଟି ରହିଥିଲା। ୧୯୭୫ର ଜରୁରୀକାଳୀନକୁ ସମର୍ଥନ କରୁଥିବା ଏହି ବିବାଦୀୟ ଆଦେଶକୁ ରଦ୍ଦ କରିଥିଲେ ଡିଓ୍ଵାଇ ଚନ୍ଦ୍ରଚୂଡ। ତାଙ୍କ ବାପା ବିଚାରପତି ଓ୍ଵାଇଭି ଚନ୍ଦ୍ରଚୂଡ ସେ ସମୟରେ ରାୟ ଦେଇଥିବା ଉକ୍ତ ପୀଠର ଅଂଶ ବିଶେଷ ଥିଲେ।

କିଏ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ

ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ଜନ୍ମ ୧୯୫୯ ନଭେମ୍ବର ୧୧ରେ ହୋଇଛି। ବର୍ତ୍ତମାନ ସେ ସୁପ୍ରିମକୋର୍ଟର ବିଚାରପତି। ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରୁ ଏଲଏଲବି କରିବା ପରେ ହାଭାର୍ଡ ବିଶ୍ଵ ବିଦ୍ୟାଳୟରୁ ଏଲଏଲଏମ ଏବଂ ନ୍ୟାୟିକ ବିଜ୍ଞାନରେ ଡକ୍ଟରେଟ୍(ଏସଜେଡି) କରିଛନ୍ତି। ସେ ଅନେକ ଆଇନ ବିଦ୍ୟାଳୟ, ସଂସ୍ଥା ଏବଂ ବିଶ୍ଵ ବିଦ୍ୟାଳୟରେ ଶିକ୍ଷାଦାନ ଦେଇ ସାରିଛନ୍ତି। ସେ ଭାରତର ଅନେକ ନ୍ୟାୟାଳୟରେ ଆଇନଜୀବୀ ଭାବେ କାମ କରିଛନ୍ତି। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଗୁଜରାଟ ଏବଂ ପଶ୍ଚିମବଙ୍ଗ ଉଚ୍ଚ ନ୍ୟାୟାଳୟରେ ପ୍ରାକ୍ଟିସ୍ କରିଛନ୍ତି। ୧୯୯୮ରେ ବମ୍ବେ ଉଚ୍ଚ ନ୍ୟାୟାଳୟରେ ବରିଷ୍ଠ ଆଇନଜୀବୀ(ସିନିୟର ଆଡଭୋକେଟ୍) ଭାବେ ନାମିତ ହୋଇଥିଲେ। ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ଭାରତର ଅତିରିକ୍ତ ସଲିସିଟର ଜେନେରାଲ ଭାବେ କାମ କରିଛନ୍ତି। ସେ ବମ୍ବେ ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଏବଂ ୨୦୧୩ ଅକ୍ଟୋବରରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.