ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ପ୍ରଥମ ପାରିଶ୍ରମିକ କେତେ ? ଜାଣନ୍ତୁ କଣ କହିଲେ Cji...

Published By : Prameya-News7 Bureau | April 24, 2024 IST

ନୂଆଦିଲ୍ଲୀ ୨୪।୦୪: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ । ପ୍ରଥମ କେସ୍‌ ପାଇଁ ନେଇଥିଲେ ୬୦ ଟଙ୍କା ପାରିଶ୍ରମିକ । ଏକ ମାମଲାର ଶୁଣାଣି ବେଳେ କରିଛନ୍ତି ଖୁଲାସା । ବର୍ତ୍ତମାନ ତାଙ୍କର ଦରମା ହେଉଛି ମାସିକ ଦରମା ୨ ଲକ୍ଷ ୮୦ ହଜାର । ଏହା ବ୍ୟତୀତ ରହିଛି ଅନ୍ୟାନ୍ୟ ଭତ୍ତା। 

୧୯୮୬ ମସିହାରେ ହାର୍ଭାର୍ଡରୁ ଫେରିବା ପରେ ସେ ବମ୍ବେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ସେହି ବର୍ଷ ଜଷ୍ଟିସ୍‌ ସୁଜାତା ମନୋହର ତାଙ୍କ ପ୍ରଥମ ମାମଲାର ଜରୁରିକାଳୀନ ଶୁଣାଣି କରୁଥିଲେ । ସେତେବେଳେ ଓକିଲମାନେ ଭାରତୀୟ ମୁଦ୍ରାରେ ପାରିଶ୍ରମିକ ନେଉନଥିଲେ । ସୁନା ମୋହରରେ ସେମାନେ ପାରିଶ୍ରମିକ ନେବାକୁ ପସନ୍ଦ କରୁଥିଲେ ।

ସେତେବେଳେ ଗୋଟିଏ ସୁନା ମୋହରର ମୂଲ୍ୟ ଥିଲା ପ୍ରାୟ ୧୫ ଟଙ୍କା । ଓକିଲାତି କ୍ୟାରିଅର ଆରମ୍ଭ କରିଥିବା ଯୁବ ଚନ୍ଦ୍ରଚୂଡ଼ ମାମଲା ଲଢ଼ିବା ପାଇଁ ୪ଟି ସୁନା ମୋହର ନେଇଥିଲେ । ବର୍ତ୍ତମାନ ଭାରତର ପ୍ରଧାନ ବିଚାରପତି ପଦରେ ଅବସ୍ଥାପିତ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କ ମାସିକ ଦରମା ୨ ଲକ୍ଷ ୮୦ ହଜାର । ଡିଏ ସହିତ ତାଙ୍କର ବାର୍ଷିକ ପେନ୍‌ସନ ୧୬,୮୦,୦୦୦ ଟଙ୍କା । ୨୦,୦୦୦,୦୦୦ ଟଙ୍କାର ଗ୍ରାଚ୍ୟୁଟି ମଧ୍ୟ ତାଙ୍କୁ ପ୍ରଦାନ କରାଯାଏ । 

ଏଥିସହ ୧୦ ହଜାର ଟଙ୍କାର ଫର୍ନିଶିଙ୍ଗ ଆଲାଉନ୍ସ, ମୂଳ ଦରମାର ୨୪ ପ୍ରତିଶତ ଘର ଭଡ଼ା (ଏଚ୍‌ଆର୍‌ଏ), ୪୫ ହଜାର ଟଙ୍କାର ଅନ୍ୟାନ୍ୟ ଭତ୍ତା ପ୍ରଧାନ ବିଚାରପତିଙ୍କୁ ପ୍ରଦାନ କରାଯାଉଛି । ଏହି ଦରମା ଓ ସୁବିଧା କନ୍‌ସୋଲିଡେଟେଡ୍‌ ଫଣ୍ଡ୍‌ସ ଅଫ୍‌ ଇଣ୍ଡିଆ ଦ୍ୱାରା ପ୍ରଦାନ କରାଯାଏ ।

ବିଭିନ୍ନ ରାଜ୍ୟ ବାର୍‌ କାଉନ୍‌ସିଲ ଦ୍ୱାରା ନିଆଯାଉଥିବା ଅତ୍ୟଧିକ ଦେୟ ବିରୋଧରେ ଆବେଦନର ଶୁଣାଣି ବେଳେ ପ୍ରଧାନ ବିଚାରପତି ନିଜ ଦରମା ବାବଦରେ ଖୁଲାସା କରିଛନ୍ତି । ଗତ ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି, ଦେଶରେ ଆଇନ ସ୍ନାତକଙ୍କୁ ଓକିଲ ଭାବେ ନାମ ଲେଖାଇବା ପାଇଁ ୬୦୦ ଟଙ୍କାରୁ ଅଧିକ ଶୁଳ୍କ ନିଆଯାଇ ପାରିବ ନାହିଁ । 

ପ୍ରଧାନ ବିଚାରପତି କହିଛନ୍ତି ନାମାଙ୍କନ ଶୁଳ୍କ ବଢ଼ାଇବା ସଂସଦର କାମ । ରାଜ୍ୟ ବାର୍‌ କାଉନ୍‌ସିଲର ପରିଚାଳନା ପାଇଁ ବିଭିନ୍ନ ଖର୍ଚ୍ଚର ଯେଉଁ ବିଷୟ ଉଠିଛି,ତାହା ବୈଧ । କିନ୍ତୁ ଆଇନ ସମ୍ପୂର୍ଣ୍ଣ ସ୍ପଷ୍ଟ । ଆପଣ ୬୦୦ ଟଙ୍କାରୁ ଅଧିକ ଶୁଳ୍କ ନେଇ ପାରିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.