ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକ
11/09/2022 at 5:00 PM

ଇନ୍ଦୋର: ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକ । ୯୯ ବର୍ଷ ବୟସରେ ସେ ଦେହ ତ୍ୟାଗ କରିଛନ୍ତି । ମଧ୍ୟ ପ୍ରଦେଶର ନରସିଂହପୁରରେ ତାଙ୍କର ନିଧନ ହୋଇଛି। ସୂଚନା ଅନୁସାରେ ଶନିବାର ଅପରାହ୍ଣ ୩ଟା ସମୟରେ ସେ ନିଜ ଆଶ୍ରମରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଛି ଦିନ ତଳେ ସେ ନିଜର ୯୯ ତମ ଜନ୍ମ ଦିବସ ଧୁମଧାମରେ ପାଳନ କରିଥିଲେ । ୧୯୨୪ ମସିହା ସେପ୍ଟେମ୍ୱର ୨ ତାରିଖରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୁପାନନ୍ଦ ସରସ୍ୱତୀଙ୍କ ଜନ୍ମ ହୋଇଥିଲା । ସେ ଦ୍ୱାରକା ଏବଂ ଜ୍ୟୋତିର୍ମଠ ପୀଠର ଶଙ୍କରଚାର୍ଯ୍ୟ ଥିଲେ।
Dwarka Shankaracharya Swami Swaroopanand Saraswati passes away at the age of 99, in Madhya Pradesh's Narsinghpur
— ANI (@ANI) September 11, 2022
(file pic) pic.twitter.com/Bzi541OiPW
ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ହିନ୍ଦୁଙ୍କ ସବୁଠୁ ବଡ଼ ଧର୍ମଗୁରୁଙ୍କ ମଧ୍ୟରୁ ଜଣେ । ସେ କୋଟି କୋଟି ସନାତନୀ ହିନ୍ଦୁଙ୍କୁ ଆସ୍ଥାର ଜ୍ୟୋତି ସ୍ତମ୍ଭ ଥିଲେ। ତାଙ୍କର ଜନ୍ମ ମଧ୍ୟ ପ୍ରଦେଶର ସିବନୀ ଜିଲ୍ଲାରେ ଦିଘୋରୀ ଗାଁରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା। ପରିବାର ଲୋକେ ତାଙ୍କର ନାଁ ପୋଥିରାମ ଉପାଧ୍ୟାୟ ରଖିଥିଲେ । ମାତ୍ର ୯ ବର୍ଷ ବୟସରେ ସେ ଘର ଛାଡି ଧର୍ମର ଯାତ୍ରା ଆରମ୍ଭ କରିଥିଲେ। ସେ କାଶୀରେ କରପାତ୍ରୀ ମହାରାଜଙ୍କ ଠାରୁ ଧର୍ମର ଶିକ୍ଷା ନେଇଥିଲେ।
ଦେଶର ସ୍ୱାଧୀନତାରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ବଡ଼ ଯୋଗଦାନ ଥିଲା। ସ୍ୱାଧୀନତା ପାଇଁ ସେ ବ୍ରିଟିଶ ବିରୁଦ୍ଧରେ ଲଢେଇ ଲଢିଥିଲେ। ୧୯୪୨ରେ ଭାରତ ଛାଡ ଆନ୍ଦୋଳନ ସମୟରେ ସେ ଏଥିରେ ଯୋଗ ଦେଇଥିଲେ । ସ୍ୱାଧୀନତା ସଂଗ୍ରମ ସମୟରେ ସେ ଦୁଇ ଥର ଜେଲ ଯାଇଥିଲେ। ୧୯୮୨ ମସିହାରେ ସେ ଦ୍ୱାରକା ପୀଠାର ଶଙ୍କରାଚାର୍ଯ୍ୟ ହୋଇଥିଲେ ।
ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ସ୍ପଷ୍ଟବାଦୀ ଥିଲେ । ସେ ରାମ ମନ୍ଦିର ଟ୍ରଷ୍ଟକୁ ନେଇ ସରକାରଙ୍କୁ କଡା ପ୍ରଶ୍ନ କରିଥିଲେ। ସେ କହିଥିଲେ, ଗେରୁଆ ପିନ୍ଧିଲେ କହି ସନାନତୀ ହୋଇଯାଏ ନାହିଁ। ସେ କହିଥିଲେ, ଜନ୍ମଭୂମି ତୀର୍ଥ ଟ୍ରଷ୍ଟରେ ଏପରି କୌଣସି ବ୍ୟକ୍ତି ନାହାନ୍ତି ଯିଏ ପ୍ରାଣ ପ୍ରତିଷ୍ଠା କରିପାରିବ। ଧନ ରାଶିକୁ ନେଇ ମଧ୍ୟ ଟ୍ରଷ୍ଟ ଉପରେ ସେ ପ୍ରଶ୍ନ ଉଠାଇଥିଲେ।