ସିରିଏଲ୍‌ ରେପିଷ୍ଟର ଭୟଙ୍କର କାରନାମା: କବାଟ ଭାଙ୍ଗି ଘରେ ପଶୁଥିଲା, ପରିବାର ଆଗରେ ମହିଳାଙ୍କୁ କରୁଥିଲା ଦୁଷ୍କର୍ମ, ଏବେ କୋର୍ଟ ଦେଲେ ୧ ହଜାର ୮୮ ବର୍ଷ ଜେଲ୍‌ ଦଣ୍ଡ

Published By : Prameya-News7 Bureau | May 29, 2021 IST

ନୂଆଦିଲ୍ଲୀ ୨୯/୫: ସିରିଏଲ୍‌ ରେପିଷ୍ଟକୁ ମହାଦଣ୍ଡ। ଦେଶର ସବୁଠୁ ଦୀର୍ଘ ଜେଲଦଣ୍ଡ ଶୁଣାଇଲେ କୋର୍ଟ। ୫ ବର୍ଷ କି ଆଜୀବନ ନୁହେଁ ବରଂ ୫ ଜନ୍ମ ପାଇଁ ମିଳିଲା କାରାଦଣ୍ଡାଦେଶ।  ଏହି ଦଣ୍ଡ ଭୋଗିବାକୁ ହେଲେ କଏଦୀକୁ ଅତିକମରେ ୫ଟି ଜନ୍ମ ନୋବକୁ ପଡ଼ିବ । ଏକଥା ଆମେ କହୁନୁ ଖୋଦ କୋର୍ଟ ଶୁଣାଇଥିବା ଦଣ୍ଡାଦେଶରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି। ଜଣେ ସିରିଏଲ୍‌ ରେପିଷ୍ଟ (ଦୁଷ୍କର୍ମକାରୀ)କୁ ୧୦୮୮ ବର୍ଷର ଜେଲ୍‌ ଦଣ୍ଡ ମିଳିଛି। କିନ୍ତୁ ଦୋଷୀକୁ ଦଣ୍ଡ ମିଳିବା ପରେ କୋର୍ଟ ପରିସରରେ ଖୁସି ଦେଖିବାକୁ ମିଳିଛି। ଉପସ୍ଥିତ ଲୋକେ ପରଷ୍ପରକୁ ଆଲିଙ୍ଗନ କରିବା ସହ ଖୁସିରେ କାନ୍ଦିପକାଇଥିବା ଜଣାପଡ଼ିଛି। ଘଟଣାଟି ଦକ୍ଷିଣ ଆଫ୍ରିକାର ହୋଇଥିବା ବେଳେ ଦୁଷ୍କର୍ମକାରୀ ସେଲୋ ଆବ୍ରାମ୍‌ ମାପୁନ୍ୟାକୁ ଦଣ୍ଡ ଶୁଣାଇଛନ୍ତି ପ୍ରିଟୋରିଆର ଗୌତେଙ୍ଗ ହାଇକୋର୍ଟ।

୩୩ ବର୍ଷୀୟ ଅଭିଯୁକ୍ତକୁ କେବଳ ଦୁଷ୍କର୍ମ ପାଇଁ ୯୮୮ ବର୍ଷର ୫ଟି ଆଜୀବନ ଜେଲ ଦଣ୍ଡ ମିଳିଛି । ତା ବିରୋଧରେ ୫ ବର୍ଷରେ ୫୬ଟି ଡକାୟତି ମାମଲା,  ୪୧ଟି ଦୁଷ୍କର୍ମ ମାମଲା, ୪୦ ଘର ଭାଙ୍ଗି ପଶିବା ମାମଲା ମଧ୍ୟ ରହିଛି। ପ୍ରିଟୋରିଆରେ ନିଜ ପ୍ରେମିକା, ୮ ବର୍ଷର ପୁଅ ଏବଂ ୪ ବର୍ଷର ଝିଅ ସହ ରହୁଥିବା ବେଳେ ଏହି ସବୁ ଜଘନ୍ୟ କାଣ୍ଡ କରିଛି ମାପୁନ୍ୟା। ସେ ଏହି ସବୁ ଅପରାଧ ୨୦୧୪ରୁ  ସିଲଭରଟନ୍, ନେଲମାପିଅସ୍, ଆଟେରିଜଭିଲ୍, ମ୍ୟାମେଲୋଡି ଏବଂ ଅଲିଭେନହାଉଟବୋସରରେ କରିଆସୁଛି ।

୨୦୧୯ରେ ଫୋନ୍‌ ଚୋରି ମାମଲାରେ ମାପୁନ୍ୟା ପୋଲିସର ରାଡାରକୁ ଆସିଥିଲା। ଦୁଷ୍କର୍ମକୁ ନେଇ କୋର୍ଟରେ ସାକ୍ଷ୍ୟ ଗ୍ରହଣ ବେଳେ ଅଭିଯୁକ୍ତର କାହାଣୀ ଶୁଣି ସମସ୍ତେ ଭୟଭୀତ ହୋଇଛନ୍ତି। କାରଣ ସେ ବଡି ଭୋର ଘରେ ପଶୁଥିଲା ଏବଂ ଯୁବତୀମାନଙ୍କ ମୁହଁରେ ଟର୍ଚ୍ଚ ଲାଇଟ୍‌ ପକାଇ ଦୁଷ୍କର୍ମ କରୁଥିବା କୋର୍ଟରେ କୁହାଯାଇଛି । ତା ପ୍ରତି ବିପଦ ଥିବାରୁ ସେ ସାଥିରେ ବନ୍ଧୁକ, ଛୁରୀ କିମ୍ବା ସ୍କୃଡ୍ରାଇଭର ରଖୁଥିଲା। ବେ​‌ଳେ ବେଳେ ମହିଳାମାନଙ୍କୁ ସେମାନଙ୍କ ପିଲା ଏବଂ ସ୍ବାମୀଙ୍କ ସାମ୍ନାରେ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ।

ଏସବୁ ଶୁଣିବା ପରେ ଅଭିଯୁକ୍ତକୁ ସମାଜରେ ରହିବାର ଅଧିକାରୀ ନାହିଁ ଏବଂ ସେ ରହିଲେ ଶାନ୍ତି ଭଙ୍ଗ ହେବ ବୋଲି କହି ତାକୁ ଜେଲ ପଠାଇଦେଇଛନ୍ତି କୋର୍ଟ। ଜଣେ ପୀଡ଼ିତା ଯିଏକି ୧୪ ବର୍ଷର ହୋଇଥିବା ବେଳେ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲେ ସେ କୋର୍ଟରେ ମଧ୍ୟ ନିଜର ଦୁଃଖ ବଖାଣିଛନ୍ତି। ଏବେ ସେ ୧୯ ବର୍ଷର ହୋଇଥିବା ବେଳେ କୋର୍ଟକ କହିଛନ୍ତି, ‘ମୁଁ ନଜକୁ ପ୍ରତିଦିନ ପଚାରୁଛି କାହିଁକି ପୁରୁଷ ଦୁଷ୍କର୍ମ କରୁଛନ୍ତି। କିନ୍ତୁ ମୁଁ ପୁରୁଷମାନଙ୍କୁ କହିବାକୁ ଚାହେଁ ଆମକୁ କଷ୍ଟ ଦେବା ପରିବର୍ତେ ଆମକୁ ସୁରକ୍ଷା ଦିଅନ୍ତୁ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.