ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଥମ ଦିନରେ ପରିଦର୍ଶନ କଲେ ଇସ୍କୋ ଓ ଦୁର୍ଗାପୁର ଇସ୍ପାତ କାରଖାନା

Published By : Prameya-News7 Bureau | December 18, 2020 IST

କଲିକତା/ଭୁବନେଶ୍ୱର୧୮।୧୨: ପଶ୍ଚିମବଙ୍ଗରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେଠୁ ଶାସକ ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଗଲାଣି। ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି। ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ପୂର୍ବରୁ  ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ପ୍ରଥମ ଦିନରେ ମନ୍ତ୍ରୀ ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ ତଥା ସେଲ୍‌ର ବର୍ନପୁର ସ୍ଥିତ ଇସ୍କୋ ଇସ୍ପାତ କାରଖାନା ଓ ଦୁର୍ଗାପୁର ଇସ୍ପାତ କାରଖାନା ପରିଦର୍ଶନ କରିବା ସହ ବିଭାଗୀୟ ଅଫିସର ମାନଙ୍କ ସହ ପରିଚାଳନା କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଇସ୍କୋ ଇସ୍ପାତ କାରଖାନା ଦେଶର ଅନ୍ୟତମ ସର୍ବପୂରାତନ ପ୍ରତିଷ୍ଠିତ ଇସ୍ପାତ୍ କାରଖାନା ମଧ୍ୟରୁ ଅନ୍ୟତମ ଏବଂ ଏହି କାରଖାନା ପୂର୍ଣ୍ଣକାଳୀନ ସମନ୍ୱିତ ଇସ୍ପାତ କାରଖାନା ଭାବେ କାର୍ଯ୍ୟକ୍ଷମ । କେନ୍ଦ୍ର ମନ୍ତ୍ରୀ ପ୍ରଧାନ ଏହି କାରଖାନାର ସମସ୍ତ କାର୍ଯ୍ୟ, ପରିଚାଳନା ଦେଖିବା ପରେ କାରଖାନାର ଉତ୍ପାଦନ, ଦକ୍ଷତା ଏବଂ ପରିଚାଳନାର ଲାଭ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ କାରଖାନା କ୍ଷମତାର ଶତପ୍ରତିଶତ ବ୍ୟବହାର କରିବା ଉପରେ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେବା ସହ ଗୁରୁତ୍ୱାରୋପ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଏହି ପରିଦର୍ଶନ ବେଳେ ଧର୍ମେନ୍ଦ୍ର ପ୍ରଧାନ କାରଖାନାରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀଙ୍କ ସହ କଥା ହେବା ସହ ସେମାନଙ୍କର କାମ ସମ୍ବନ୍ଧରେ ପଚାରି ବୁଝିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.