ଗଣେଶ ପୂଜାରେ ମୂର୍ତ୍ତି ବିସର୍ଜନ ଓ ମୋହରମ ଶୋଭାଯାତ୍ରା ଉପରେ ଲାଗିଲା କଟକଣା, ନିୟମ ଭାଙ୍ଗିଲେ ୫୦ ହଜାର ଜୋରିମାନା
16/08/2020 at 4:13 PM

ନୂଆଦିଲ୍ଲୀ ୧୬।୦୮: କରୋନା ମହାମାରୀ କାରଣରୁ ଚଳିତ ବର୍ଷ ଦେଶରେ ପାର୍ବଣ ଋତୁ ଫିକା ପଡିବାରେ ଲାଗିଛି। ଏହା ମଧ୍ୟରେ ଦିଲ୍ଲୀ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଆଗାମୀ ପୂଜା ପାର୍ବଣ ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ଗଣେଶ ପୂଜା ସମୟରେ ସାର୍ବଜନୀନ ସ୍ଥାନରେ ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନା ଏବଂ ମୋହରମର ଶୋଭାଯାତ୍ରା କରିବାକୁ ଅନୁମତି ନଦେବାକୁ କୁହାଯାଇଛି।
ଏହା ପୂର୍ବରୁ ଦିଲ୍ଲୀ ସରକାର ଚଳିତ ବର୍ଷ ଗଣେଶ ପୂଜା ଅବସରରେ ସାର୍ବଜନୀନ ସ୍ଥାନରେ ମୂର୍ତ୍ତି ବିସର୍ଜନ, ବଡ ସଂଖ୍ୟାରେ ଏକତ୍ର ହେବା ଏବଂ ସାମୂହିକ ପର୍ବ ପାଳନ ଉପରେ କଟକଣା ଲଗାଇଥିଲେ। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଡିପିସିସି)ର ଅଧିକାରୀଙ୍କ ଅନୁଯାୟୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମୂହିକସ୍ତରରେ ପୂଜା ପର୍ବ ପାଳନ କରିବାକୁ ଅନୁମତି ଦିଆଯାଇ ନାହିଁ। ନ୍ୟାସନାଲ ଗ୍ରୀନ ଟ୍ରାଇବ୍ୟୁନାଲର ୨୦୧୫ର ଆଦେଶ ଅନୁସାରେ ଯମୁନାରେ ମୂର୍ତ୍ତି ବିସର୍ଜନ ଉପରେ କଟକଣା ଲାଗୁ ହୋଇଛି।

ଦେବାକୁ ପଡିବ ୫୦ ହଜାର ଜୋରିମାନା
ଅଧିକାରୀ କହିଛନ୍ତି ଚଳିତ ବର୍ଷ ସଂକ୍ରମଣର ବିପଦକୁ ଆଖି ଆଗରେ ରଖି ପୂଜା ପାର୍ବଣ ଆୟୋଜିତ ହେବ ନାହିଁ। ଡିପିସିସି ଅନୂଯାୟୀ ଆଗାମୀ ପର୍ବରେ ଯମୁନା କିମ୍ବା ଅନ୍ୟ ଜଳାଶୟ, ସାର୍ବଜନୀନ ସ୍ଥଳ, ପୋଖରୀ କିମ୍ବା ଘାଟରେ ମୂର୍ତ୍ତି ବିସର୍ଜନ ଉପରେ କଟକଣା ଲଗାଯାଇଛି। ଡିପିସିପି କହିଛି ଆଦେଶର ଉଲ୍ଲଂଘନ ହେଲେ ୫୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। ପ୍ରଦୂଷଣ ନିୟନ୍ତ୍ରଣ ସଂସ୍ଥା ଲୋକଙ୍କୁ ନିଜ ଘରେ ବାଲ୍ଟି କିମ୍ବା ଅନ୍ୟ କୌଣସି ପାତ୍ରରେ ବିସଜର୍ନ ରୀତି ପୂରା କରନ୍ତୁ। ଉଲ୍ଲେଖନୀୟ ଚଳିତ ବର୍ଷ ଅଗଷ୍ଟ ୨୨ରେ ଗଣେଶ ଚତୁର୍ଥୀ ପଡୁଛି।