ବାଇକକୁ ଧକ୍କା ଦେଲା ଟ୍ରକ୍ : ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ...

Published By : Prameya-News7 Bureau | August 03, 2021 IST

ପଟ୍ଟାଙ୍ଗି ୦୩/୦୮: ପଟ୍ଟାଙ୍ଗି ଥାନା କୁନ୍ଦୁଲି ହାଟପଦା ନିକଟ ଦଣ୍ଡରଖନ୍ଦା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ସମ୍ପର୍କରେ ମାମୁ-ଭଣଜା । ସେମାନେ ହେଲେ ମାଡାବାଲସା ଗାଁର ଲାଚ୍ଛାନା ଗେମେଲ(୨୫) ଓ ମୁଙ୍ଗାରଗୁମି ଗାଁର ଗୁଣ୍ଡାନା ଶୁଙ୍କୁରୁ । ଏହି ସୂଚନା ଦେଇଛନ୍ତି ପଟ୍ଟାଙ୍ଗି ଥାନା ଆଇଆଇସି କୈବଲ୍ୟ ସେଠ୍‌ ।

ପୁଲିସ୍‌ ସୂଚନା ଅନୁଯାୟୀ, ସୋମବାର ପୂର୍ବାହ୍ନରେ ରାଲାଗାଡ଼ା ପଞ୍ଚାୟତ ମଡାବାଲାସା ଗାଁର ଲାଚ୍ଛାନା ଗେମେଲ, ତାଙ୍କ ବାପା ମଲାନା ଗେମେଲ ଓ ମାମୁ ଶୁଙ୍କୁରୁ ମିଶି ଦୁଇଟି ବାଇକ୍‌ରେ ସେମିଳିଗୁଡ଼ାକୁ ଯାଇଥିଲେ । ନୂଆ ବାଇକ୍‌ର କିସ୍ତି ଟଙ୍କା ବାନ୍ଧିବା ପରେ ଦୁଇଟି ବାଇକ୍‌ରେ ସେମାନେ ଘରକୁ ଫେରୁଥିଲେ। ଅପରାହ୍ଣ ଗୋଟାଏ ୪୦ ମିନିଟ୍‌ରେ ୨୬ ନମ୍ବର ଜାତୀୟ ରାଜପଥର ଦଣ୍ଡରାଖନ୍ଦା ଘାଟିରେ ବିଶାଖାପାଟଣାରୁ ଜୟପୁର ଅଭିମୁଖେ ଆସୁଥିବା ଏକ ମାଲ୍‌ ବୋଝେଇ ଟ୍ରକ୍‌(ଏପି-୩୫ୱାଇ-୭୩୩୩) ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଲାଛାନାଙ୍କ ମୃତ୍ୟୁ ହୋଇଥିବା ବେଳେ ଶୁଙ୍କୁରୁ ଗୁରୁତର ହୋଇଥିଲେ ।

ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ଶୁଙ୍କୁରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଥାନା ଆଇଆଇସି ଶ୍ରୀ ସେଠଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଓ ଟ୍ରକ୍‌କୁ ଜବତ କରିଛି । ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ମେଡିକାଲ୍‌କୁ ପଠାଯାଇଛି । ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଥିବା ଥାନା ଆଇଆଇସି ଶ୍ରୀ ସେଠ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.