ପଶ୍ଚିମବଙ୍ଗରେ ଭୂମିକମ୍ପର ଝଟକା : ତୀବ୍ରତା ୪.୧ ରିକ୍ଟର ସ୍କେଲ୍
26/08/2020 at 9:44 AM

ଦୁର୍ଗାପୁର ୨୬/୮: ପଶ୍ଚିମବଙ୍ଗର ଦୁର୍ଗାପୁରରେ ବୁଧବାର ସକାଳେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ନ୍ୟାସନାଲ୍ ସେଣ୍ଟର ଅଫ୍ ସିସ୍ମୋଲୋଜି ଅନୁସାରେ ସକାଳେ ୭ଟା ୫୪ମିନିଟରେ ଭୂମିକମ୍ପର ଝଟକା ଅନୁଭୂତ କରାଯାଇଛି,ଯାହାର ତୀବ୍ରତା ରିକ୍ଟର ସ୍କେଲ୍ ୪.୧ ରହିଥିଲା। କ୍ଷୟକ୍ଷତି କିମ୍ବା ମୃତାହତର କୌଣସି ସୂଚନା ମିଳିନାହିଁ।
ଏହା ପୂର୍ବରୁ ଅଗଷ୍ଟ ୨୩ତାରିଖରେ ମହାରାଷ୍ଟ୍ରର ପାଳଘରରେ ଭୂମିକମ୍ପର ସାମାନ୍ୟ ଝଟକା ଅନୁଭୂତ କରାଯାଇଥିଲା। ପାଳଘରରେ ସାମାନ୍ୟ ତୀବ୍ରତା ଥିବା ଏହି ଭୂମିକମ୍ପରେ କୌଣସି ମୃତାହତ ହେବାର ସୂଚନା ନଥିଲା। ଜଣେ ଅଧିକାରୀଙ୍କ ମୁତାବକ ପାଳଘର ଜିଲ୍ଲାରେ ୨.୮ ତୀବ୍ରତାର ଭୂମିକମ୍ପ ସକାଳ ୧୧.୩୯ରେ ହୋଇଥିଲା। ଏହି ଭୂମିକମ୍ପରେ କାହାରି ମୃତାହତ ହେବାର କିମ୍ବା କୌଣସି ସମ୍ପତ୍ତି କ୍ଷୟକ୍ଷତି ହେବାର ଖବର ନାହିଁ।
ପାଳଘର ପୂର୍ବରୁ ଶୁକ୍ରବାର ଝାଡ଼ଖଣ୍ଡର ସାହିବଗଞ୍ଜରେ ଭୂମିକମ୍ପର ଝଟକା ଅନୁଭୂତ କରାଯାଇଥିଲା। ନ୍ୟାସନାଲ୍ ସେଣ୍ଟର ଫର ସିସ୍ମୋଲୋଜି ମୁତାବକ ସାହିବଗଞ୍ଜରେ ଦ୍ବିପ୍ରହର ୧୨.୦୭ରେ ଏହି ଭୂମିକମ୍ପ ହୋଇଥିଲା ଏବଂ ଏହାର ତୀବ୍ରତା ୪.୩ ଥିଲା। ଏଥିରେ ମଧ୍ୟ ମୃତାହତ କିମ୍ବା କୌଣସି କ୍ଷୟକ୍ଷତିର ସୂଚନା ନଥିଲା।