ଆଜି ମହାମାୟାଙ୍କ ମହାନବମୀ ; ଦେବୀ ପୀଠରେ ବିଜୟା ଦଶମୀ, ମଣ୍ଡପରେ ଚାଲିଛି ନବମୀ ପୂଜା
18/10/2018 at 9:20 AM

ଭୁବନେଶ୍ବର ୧୮|୧୦: ଧରାବତରଣ କରିଛନ୍ତି ମା’ ମହିଷାମର୍ଦ୍ଦିନୀ । ମା’ ଦୁର୍ଗାଙ୍କ ଆଗମନରେ ପୁରଠୁ ପଲ୍ଲୀ ଚାରିଆଡେ ଆନନ୍ଦ, ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଦେବୀ ପୀଠରେ ଆଜି ବିଜୟା ଦଶମୀ ପାଳନ କରାଯାଉଥିବାବେଳେ ପୂଜା ମଣ୍ଡପ ଗୁଡିକରେ ନବମୀ ପୂଜା ଚାଲିଛି । ପାରମ୍ପରିକ ପୂଜାର୍ଚ୍ଚନା ଓ ଯଜ୍ଞ ସହ ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ର ପାଠରେ କମ୍ପୁଛି ପୂଜା ମଣ୍ଡପ । କିଛି ମଣ୍ଡପରେ କୁମାରୀ ପୂଜା, ଗୋ-ପୂଜା କରାଯିବ । ସେହିଭଳି ବଙ୍ଗୀୟ ପରମ୍ପରା ଅନୁସାରେ କିଛି ମଣ୍ଡପରେ ସିନ୍ଦୁର ଖେଳ ମଧ୍ୟ ହେବାର କାର୍ଯ୍ୟକ୍ରମ ରହିଛି । ସେପଟେ ଦଶହରା ପାଇଁ ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ରାଜ୍ୟର ବିଭିନ୍ନ ସ୍ଥାନରେ ମହା ଆଡମ୍ବର ସହକାରେ ଶାରଦୀୟ ଦୁର୍ଗା ପୂଜା ଚାଲିଛି । ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ । ମା’ଙ୍କ ଦର୍ଶନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁଙ୍କୁ ବେଶ୍ ଆକୃଷ୍ଠ କରୁଛି । ସକାଳୁ ସକାଳୁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ସେପଟେ ବିଭିନ୍ନ ଶକ୍ତିପୀଠରେ ଷୋଡଶ ଦିନାତ୍ମକ ପୂଜା ଚାଲିଥିବା ବେଳେ ଆଜି ଦଶମୀ ପୂଜା ଚାଲିଛି । ବ୍ରତଧାରୀମାନେ ମାଙ୍କ ପୂଜାର୍ଚ୍ଚନା କରିବା ସହ ପରିବାର ପାଇଁ ଶୁଭ ମନାସିଛନ୍ତି ।