ସ୍କୁଲ୍ ଛୁଟି ପରେ ହେଉଥିଲା ନକଲି ମଦ ତିଆରି; ୧୨୦୪ ଲିଟର୍ ମଦ ଜବତ, ୨ ଗିରଫ
12/12/2022 at 5:19 PM

ରାଉରକେଲା ୧୨/୧୨: ଦିନରେ ପାଠ ପଢ଼ୁଥିଲେ ଛାତ୍ରଛାତ୍ରୀ। ରାତିରେ ବସୁଥିଲା ମଦଭାଟି। ହିମାଚଳପ୍ରଦେଶରୁ ଚୋରାରେ ମଦ ଆଣି ତିଆରି ହେଉଥିଲା ନକଲି ମଦ। ମଦରେ ଅଧିକ ସ୍ପରିଟ୍ ଓ ଫ୍ଲେବର୍ ମିଶାଇବା ପରେ ଏଭଳି ଅପମିଶ୍ରିତ ମଦ ତିଆରି ହେଉଥିଲା। ଏହି ଖବର ପାଇ ଘଟଣାସ୍ଥଳରେ ଅବକାରୀ ବିଭାଗ ଚଢ଼ଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ନକଲି ମଦ ଜଦତ କରିଛନ୍ତି। ଅଭିଯୁକ୍ତଙ୍କ ପରିଚୟ ସୁରେନ୍ଦ୍ର ବଢ଼ାଇ ଓ ପବନ ମିତ୍ତଲ। ଏଭଳି ଚିତ୍ର ରାଉରକେଲାର ବିସ୍ରା ଥାନା ଅଧୀନ ଫୁଲଝର ଗାଁରେ ଥିବା ଏକ ଘରୋଇ ସ୍କୁଲ୍ରେ ଦେଖିବାକୁ ମିଳିଛି।
ଖବରଅନୁସାରେ, ସ୍କୁଲ୍ ଛୁଟି ହେବା ପରେ ଠିକ୍ ସନ୍ଧ୍ୟା ସମୟରେ ଅଭିଯୁକ୍ତମାନେ ଏହି କାରଖାନାରେ ମଦ ତିଆରି କରୁଥିଲେ। ସ୍କୁଲ୍ର ଗୋଟିଏ କୋଠରି ପାଲଟି ଥିଲା ଏହି ମଦ ତିଆରି ହବ୍। ଅପରାଧି ସ୍କୁଲ୍ ଛୁଟିପରେ ସନ୍ଧ୍ୟାବେଳେ ଗେଟ୍ ବାହାରୁ ଚାବି ପକାଇ ଅତି ଚାଲାକିର ସହ ଭିତରେ ଏହି ବେଆଇନ୍ କାରବାର କରୁଥିଲେ। ସୂଚନାଥାଉକି, ହିମାଚଳ ପ୍ରଦେଶରୁ ଅଭିଯୁକ୍ତମାନେ ଆଣୁଥିଲେ ମଦ। ନିୟମ ଅନୁସାରେ ସେଠାକାର ମଦ ଓଡ଼ିଶାରେ ବିକ୍ରି ହୋଇପାରିବ ନାହିଁ। ସେହି ମଦକୁ ପଡ଼ୋଶି ରାଜ୍ୟ ରାଞ୍ଚିରୁ ଆଣୁଥିଲେ ୨ ଅଭିଯୁକ୍ତ। ପରେ ସେଥିରେ ସ୍ପିରିଟ୍, ଫ୍ଲେବର୍ ଓ ପାଣି ମିଶାଇ କରୁଥିଲେ ନକଲି ମଦ।
ସେହି ସ୍କୁଲ୍କୁ ଭଡ଼ା ଦେଇଥିବା ଘର ମାଲିକ ସୁରେନ୍ଦ୍ର ଓ ଅନ୍ୟ ଅଭିଯୁକ୍ତ ପବନ ମିଶି ଏପରି ନାରକିୟ କାଣ୍ଡ ଭିଆଉଥିଲେ।। ପରେ ସେହି ମଦଗୁଡ଼ିକ ହୋଟେଲ୍, ବାର୍ ଓ ଢାବାରେ ଯୋଗାଉଥିଲେ। ଏବିଷୟରେ ଅବକାରୀ ବିଭାଗ ଜାଣି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ପରେ ସମ୍ପୃକ୍ତ ଘରୋଇ ସ୍କୁଲ୍ରେ ଚଢ଼ଉ କରିଥିଲା। ଏହି ଚଢ଼ଉରେ ୧୨୦୪ ଲିଟର୍ ନକଲି ମଦ, ମଦ ବୋତଲ, ନକଲି ଷ୍ଟିକର୍, ମଦ କାଚ ଠିପି, ଏକ କାର୍ ଜବତ କରିଛି। ଜବତ ଦେଶୀ ମଦର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।