ଜମିଦେବାକୁ କହି ଲୋକଙ୍କ ଠାରୁ ଠକୁଥିଲେ ଟଙ୍କା :ତିନି ନକଲି ଆର୍ ଆଇ ଗିରଫ
18/08/2018 at 6:04 AM

ନୂଆପଡ଼ା୧୮/୮:ନୂଆପଡା ଜିଲ୍ଲା ଲଖନା ଥାନା ଅଞ୍ଚଳର ସୁଆବାହାଲ , ଝାଞ୍ଜିମୁଣ୍ଡା ସହ ଚାରିଟି ଗାଁ ରେ ଜମିହୀନ ମାନଙ୍କୁ ଚାରି ଡେସିମିଲ ଘରଡିହ ଓ ତା ସାଙ୍ଗକୁ ଏକ ଏକର ଚାଷଜମି ଦେବାକୁ କହି ଦୁଇଦିନ ହେବ ତିନିଜଣ ଠକୁଥିଲେ। ନିଜକୁ ଆର୍ ଆଇ ବୋଲି ପରିଚୟ ଦେଇ ଜଣପ୍ରତି ଶହେ ଲେଖାଏଁ ଅସୁଲି କରୁଥିଲେ। ବରଗଡ ଜିଲ୍ଲା ପାଇକମାଲ ତହସିଲ ଲେଖାଯାଇଥିବା ଆବେଦନ ଫର୍ମ ରେ ପାଇକମାଲ କୁ କାଟିଦେଇ ନୂଆପଡା କରିଥିଲେ। ଗତକାଲି ସକାଳୁ ସୁଆବାହାଲ ଗାଁ ରେ ଅନେକ ଲୋକଙ୍କ ଠାରୁ ଜମି ଆବେଦନ ଫର୍ମରେ ଦସ୍ତଖତ ନେବାପରେ ଜଣେ ଯୁବକଙ୍କ ଏମାନଙ୍କ ଉପରେ ସନ୍ଦେହ ହୋଇଥିଲା। ତିନି ନକଲି ଆର୍ ଆଇ ଗ୍ରାମବାସୀଙ୍କ ପ୍ରଶ୍ନର ଠିକ୍ଠାକ୍ ଉତ୍ତର ଦେଇ ପାରି ନଥିଲେ। ପରେ ଲଖନା ଥାନାକୁ ଗ୍ରାମର ଜଣେ ଯୁବକ ଫୋନ ଯୋଗେ ଜଣାଇବା ପରେ କୌଶଳ କ୍ରମେ ସେଠାରୁ ତିନି ନକଲି ଆର୍ ଆଇ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ବଙ୍ଗାମୁଣ୍ଡା ଗାଁ ପାଖରୁ ଲଖନା ପୋଲିସ ସେମାନଙ୍କୁ ଗୋଡେଇ ଗୋଡେଇ ଧରିଛି। ତାଙ୍କଠାରୁ ଅନେକ ଆବେଦନ ଫର୍ମ ଜବତ କରିବା ସହ ଦୁଇଟି ବାଇକ ମଧ୍ୟ ଜବତ କରିଛି। ଏହାସହ ଥାନାରେ ଏକ ଠକେଇ ମାମଲା ରୁଜୁ କରିବା ସହ ତିନି ନକଲି ଆର୍ଆଇଙ୍କୁ ପୁଛତାଜ ପରେ କୋର୍ଟ ଚାଲାଣ କରିଛି। ତିନି ନକଲି ଆର୍ଆଇ ପଡୋଶୀ ବରଗଡ ଜିଲ୍ଲା ପାଇକମାଲ ଥାନା ଢେଙ୍କିମୁଣ୍ଡା ଗାଁର ମାଷ୍ଟରମାଇଣ୍ଡ ଝସକେତନ ତାଣ୍ଡି,ପ୍ରଶାନ୍ତ ତାଣ୍ଡି ଓ ଜଦୁ ଭୂଏ। ନିରୀହ ଓ ସରଳତା ଦେଖି ଏହାର ଫାଇଦା ଉଠାଉଥିବା ତିନିଜଣ ସ୍ବୀକାର ମଧ୍ୟ କରିଛନ୍ତି। ନୂଆପଡା ଜିଲ୍ଲାରେ ପ୍ରତ୍ୟେକ ବର୍ଷ ଏଭଳି କିଛି ନା କିଛି ଠକେଇ ହେଉଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ଜନତା ଦାବି କରିଛନ୍ତି।