କେନ୍ଦୁଝର: ବିରିଡିହା ବଜାରରୁ ୧୧ ହଜାର ଟଙ୍କାର ଜାଲ ନୋଟ ଜବତ, ଜଣେ ଅଟକ
6/09/2022 at 3:52 PM

କେନ୍ଦୁଝର: ଆନନ୍ଦପୁର ଥାନା ବିରିଡିହା ବଜାରରୁ ଜାଲ ନୋଟ ଜବତ ହୋଇଛି । ପ୍ରାୟ ୧୧ ହଜାର ଟଙ୍କାର ଜାଲ ନୋଟ ଜବତ କରାଯାଇଛି। ପୋଲିସ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଛି । ସୂଚନା ଅନୁସାରେ, ମଙ୍ଗଳବାର ଦିନ ୧୦ଟା ସମୟରେ ବଜାରରେ ଥିବା କ୍ଷୀରୋଦ ଭେରାଇଟି ଷ୍ଟୋରରୁ ଜଣେ ବୃଦ୍ଧ କିଛି ସାମଗ୍ରୀ କିଣିଥିଲେ । ଦୋକାନ ମାଲିକଙ୍କ ଅନୁପସ୍ଥିତିରେ ଦେକାନ କର୍ମଚାରୀ ସାମଗ୍ରୀ ଦେବାପରେ ବୃଦ୍ଧ ଜଣକ ଏକ ୧୦୦ ଟଙ୍କିଆ ନୋଟ୍ ଦେଇ ଚାଲି ଯାଉଥିଲେ । ଏହି ସମୟରେ ଦୋକାନ ମାଲିକ ପହଁଞ୍ଚି ୧୦୦ ଟଙ୍କିଆ ନୋଟି ଏକ ଜାଲ ଥିବା ଜାଣି ସଂପୃକ୍ତ ବୃଦ୍ଧଙ୍କୁ ଅଟକାଇଥିଲେ।
ଜାଲ ନେଟ ବାବଦରେ ପଚାରିବାରୁ ବୃଦ୍ଧ ଜଣଙ୍କ ଓଲଟା ଯୁକ୍ତି କରି କରିଥିଲେ । ପରେ ବଜାରରେ ଉପସ୍ଥିତ ଲୋକେ ବୃଦ୍ଧଙ୍କୁ ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ୨୦୦ ଟଙ୍କିଆ ଓ ୧୦୦ ଟଙ୍କିଆ ଜାଲ ନୋଟର ବଣ୍ଡଲ ପାଇଥିଲେ । ଜାଲ ନୋଟର ପରିମାଣ ୧୧ ହଜାର ଟଙ୍କା ବୋଲି ଜଣାପଡିଛି । ସଂପୃକ୍ତ ବୃଦ୍ଧ ସ୍ଥାନୀୟ କଣ୍ଟିପାଳ ଗ୍ରାମର ନେଉଳ ଦେହୁରୀ ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ପୋଲିସକୁ ଖବର କରିବାପରେ ପୋଲିସ୍ ପହଁଞ୍ଚି ନେଉଳ ଦେହୁରୀଙ୍କୁ ଥାନାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି।